ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇ ଫେରିଥିବା ଓଡିଆଙ୍କୁ ଖୋଜୁଛି ପୋଲିସ: ସଙ୍ଗରୋଧରେ ରଖିବାକୁ କରାଯାଉଛି ବ୍ୟବସ୍ଥା

ଗତ ୨୦ତାରିଖରେ ତବଲିଗ୍-ଇ-ଜମାତ ଧାର୍ମିକ ସମ୍ମିଳନୀରେ ସାମିଲ ହୋଇଥିଲେ ୧୫ ଓଡିଆ

1,462

କନକ ବ୍ୟୁରୋ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇ ଫେରିଥିବା ଓଡିଆଙ୍କୁ ଖୋଜୁଛି ପୋଲିସ । କେଉଁ ମାନେ ଏହି ସମାବେଶରେ ଯୋଗ ଦେଇ ଓଡିଶା ଫେରିଛନ୍ତି ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପୋଲିସ ଖୋଜୁଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହା ସହିତ ସେମାନଙ୍କୁ ସଙ୍ଗରୋଧରେ ରଖିବାକୁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି । ଗତ ୨୦ତାରିଖରେ ତବଲିଗ୍-ଇ-ଜମାତ ଧାର୍ମିକ ସମ୍ମିଳନୀରେ ୧୫ ଓଡିଆ ସାମିଲ ହୋଇ ଓଡିଶା ଫେରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।

ସେପଟେ, କରୋନାର କେନ୍ଦ୍ର ସ୍ଥଳ ଭାବେ ଉଭା ହେବା ବରେ ଦିଲ୍ଲୀ ନିଜାମଦୁଦ୍ଦିନ ତବଲିଗ୍-ଇ-ଜମାତକୁ ପୁରା ଖାଲି କରାଯାଇଛି । ଏହା ଭିତରେ ଥିବା ପ୍ରାୟ ୨ହଜାର ଲୋକଙ୍କୁ ବାହାର କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ହସ୍ପିଟାଲକୁ ନିଯାଇଛି । ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭି ହୋଇଥିବା ବେଳେ ୭ଶହ ଜଣଙ୍କୁ କ୍ୱାରେନଟାଇନରେ ରଖାଯାଇଛି । ସେପଟେ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇଥିବା ଲୋକମାନଙ୍କୁ ଚିହ୍ନଟ କରିବାକୁ ତତ୍ପର ହୋଇଛନ୍ତି ବିଭିନ୍ନ ରାଜ୍ୟ ସରକାର । ଏହି ସମାବେଶରେ ଯୋଗ ଦେଇଥିବା ପ୍ର୍ରୟ ୩୨ ଶହ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ସ୍ଥାନୀୟ ପ୍ରଶାସନ । ୧୧ଟି ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଂଚଳ ଶତାଧିକ ଲୋକଙ୍କୁ କ୍ୱାରେଂଟାଇନରେ ରଖିବା ସହ ସେମାନଙ୍କ କରୋନା ପରୀକ୍ଷା କରିଛନ୍ତି ।

ସମାବେଶରେ ସାମିଲ ହୋଇଥିବା ୧୯ଟି ରାଜ୍ୟର ୧୮୩୦ ଜଣଙ୍କୁ ଦିଲ୍ଲୀ ସରକାର ଚିହ୍ନଟ କରିଛନ୍ତି । କିନ୍ତୁ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ବିଭିନ୍ନ ରାଜ୍ୟ ସରକାର ଅନୁମାନ କରୁଛନ୍ତି । କାରଣ ପଞ୍ଜିକରଣ ନକରି ବହୁ ଲୋକ ଏହି ସମାବେଶରେ ଯୋଗ ଦେଇଥିବା ଅନୁମାନ କରାଯାଉଛି । ନିଜାମୁଦ୍ଦିନର ଧାର୍ମିକ ସମାବେଶରୁ ବିଭିନ୍ନ ସ୍ଥାନକୁ କରୋନା ସଂକ୍ରମଣ ବ୍ୟାପିଛି ବୋଲି ସନ୍ଦେହ କରାଯାଉଛି । କାରଣ ଏଠାରେ ଆୟୋଜିତ ଧାର୍ମିକ ସମାବେଶରେ ଯୋଗଦେଇଥିବା ତାମିଲନାଡୁର ୫୦ ଜଣଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି । ନିଜାମୁଦ୍ଦିନ ସମାବେଶରୁ ଫେରିଥିବା ୧୦ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ସମାବେଶରୁ ବିଦେଶର ପ୍ରତିନିଧି ସମେତ ପ୍ରାୟ ୨୫ଶହରୁ ଅଧିକ ବ୍ୟକ୍ତି ସାମିଲ ହୋଇଥିବା କୁହାଯାଉଛି ।