ହରିୟାଣାରେ ସବୁ ପ୍ରତିବନ୍ଧକକୁ ପାର କରି ଦିଲ୍ଲୀ ଅଭିମୁଖେ ପ୍ରାୟ ୫୦ ହଜାର ଚାଷୀ: ଅଟକାଇ ପାରିଲାନି ପାଣି ମାଡ଼, ଲୁହ ବୁହା ଗ୍ୟାସ, ସିମେଂଟ ଓ ଲୁହା ବ୍ୟାରିକେଟ୍

ଏକାଧିକ ଚାଷୀ ନେତା ଅଟକ

146

କନକ ବ୍ୟୁରୋ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଅଭିମୁଖେ ହଜାର ହଜାର ଚାଷୀଙ୍କ ମାର୍ଚ୍ଚ । ପାଣି ଓ ଟିଅର ଗ୍ୟାସ ମାଡ ସତ୍ୱେ ଅଟକି ନାହାନ୍ତି ଚାଷୀ । ଲୁହା ଓ ସିମେଂଟ ବ୍ୟାରିକେଡର ବାଧାକୁ ପାର କରି ଆଗକୁ ବଢୁଛନ୍ତି । କେନ୍ଦ୍ରରେ ମୋଦି ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଏହି ଦିଲ୍ଲୀ ମାର୍ଚ୍ଚ । ପଂଜାବରୁ ବାହାରିଥିବା ପ୍ରାୟ ୫୦ ହଜାରରୁ ଅଧିକ ଚାଷୀ ହରିଆଣାରେ ସବୁ ବାଧାକୁ ପାର କରି ଆଗକୁ ବଢି ସାରିଛନ୍ତି । ଏକାଧିକ ଚାଷୀ ନେତାଙ୍କୁ ପୋଲିସ ଅଟକ ରଖିଥିଲେ ମଧ୍ୟ ଚାଷୀମାନେ ଅଟକିବାର ନାଁ ଧରୁ ନାହାନ୍ତି ।

ଟ୍ରାକ୍ଟର ଓ ଟ୍ରଲିରେ ୫୦ ହଜାରରୁ ଅଧିକ ଚାଷୀ ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଂଚିବେ ବୋଲି ଦାବି କରିଛି ସର୍ବ ଭାରତୀୟ କୃଷକ ସମନ୍ୱୟ ସମିତି । ଏଥିପାଇଁ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ନୋଏଡାକୁ ଲାଗି ରହିଥିବା ଦିଲ୍ଲୀ ସୀମାକୁ ସଂପୂର୍ଣ୍ଣ ପୋଲିସ ଛାଉଣୀରେ ପରିଣତ କରାଯାଇଛି । ପୋଲିସ ସହିତ ଅର୍ଦ୍ଧ ସାମରିକ ବଳଙ୍କୁ ନିୟୋଜିତ କରାଯାଇଛି । ଦିଲ୍ଲୀ, ହରିଆଣା ଓ ଉତର ପ୍ରଦେଶରେ ଶହଶହ ଚାଷୀଙ୍କୁ ପୋଲିସ ଅଟକ ରଖିଛି ।