କନକ ବ୍ୟୁରୋ : ଚଳିତମାସ ଶେଷ ଆଡକୁ ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆଉ ଏହି ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏପରିକି ଏହି ମ୍ୟାଚର ଟିକେଟ ଖଣ୍ଡକ ପାଇଁ ଲୋକେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନାହାନ୍ତି । ମାତ୍ର ୩ ଘଣ୍ଟା ମଧ୍ୟରେ ହିଁ ଭାରତ-ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ବିକ୍ରି ହୋଇଯାଇଥିଲା ।

Advertisment

ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ମଧ୍ୟରେ ଦୁବାଇରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯିବ । ତେବେ ଏହି ମୁକାବିଲା ପୂର୍ବରୁ ନକଲି ଟିକେଟ ଆୟୋଜକଙ୍କ ଚିନ୍ତା ବଢାଇଦେଇଛି । କିପରି ଏହି ନକଲି ଟିକେଟଧାରୀ ଷ୍ଟାଡିୟମ ଭିତରକୁ ନ ପଶିପାରିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଓ ଯାଞ୍ଚକୁ କଡାକଡି କରାଯାଇଛି । ଟିକେଟ ଯାଞ୍ଚ ପାଇଁ ନୂଆ ଜ୍ଞାନକୌଶଳ ବ୍ୟବହାର କରାଯିବ । ଯାହା ସହଜରେ ନକଲି ଟିକେଟକୁ ଧରିପାରିବ । ଏହାଛଡା ଦୁବାଇ ପୋଲିସ ପକ୍ଷରୁ ଷ୍ଟାଡିୟମର ସୁରକ୍ଷାକୁ ମଧ୍ୟ ଦ୍ୱିଗୁଣିତ କରାଯାଇଛି । ଦୁବାଇ ପୋଲିସର ବରିଷ୍ଠ ଅଧିକାରୀ ମାନେ ଷ୍ଟାଡିୟମ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ଆଉ ଏହାପରେ ମ୍ୟାଚ୍ ପାଇଁ ଗ୍ରୀନ୍ ସିଗନାଲ ଦେଇଛନ୍ତି । ଆଉ ଏହି ହାଇଭୋଲଟେଜ ମୁକାବିଲା ଦେଖିବାକୁ ଦର୍ଶକ ଚାତକ ଭଳି ଚାହିଁ ରହିଛନ୍ତି ।

୨୦୧୨ରୁ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳା ଯାଇନାହିଁ । ଉଭୟ ଟିମ ଆଇସିସିର ବିଭିନ୍ନ ଇଭେଣ୍ଟ ଓ ଏସିଆ କପରେ ହିଁ ପରସ୍ପରକୁ ଭେଟିଛନ୍ତି । ଗତବର୍ଷ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଦୁବାଇର ଏହି ମୈଦାନରେ ହୋଇଥିଲା । ଯେଉଁ ମ୍ୟାଚରେ ଭାରତ ଶୋଚନୀୟ ପରାଜୟ ବରଣ କରିଥିଲା । ତେଣୁ ଏହାର ପ୍ରତିଶୋଧ ନେବାକୁ ଭାରତ ପାଖରେ ସୁଯୋଗ ରହିଛି ।

ଚଳତି ଏସିଆ କପ୍ ୨୭ ଅଗଷ୍ଟରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଆଉ ଚଳିତଥର ୬ଟି ଟିମ୍ ଏସିଆ କପରେ ଭାଗ ନେବେ । ପୂର୍ବରୁ ଭାରତ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଅନ୍ୟ ଦୁଇ ଟିମ୍ କ୍ୱାଲିଫାଏ ଟୁର୍ଣ୍ଣାମେଣ୍ଟ ପରେ ଯୋଗ୍ୟତା ଅର୍ଜନ କରିବେ ।