ପୁଲିସ ଜନ ସାଧାରଣଙ୍କର ଶତ୍ରୁ ନୁହେଁ ବରଂ ବନ୍ଧୁ। ପୁଲିସ ନାଁ ଶୁଣିଲେ ଛୋଟ ପିଲା ବି ଆଉ ଡରିବେନି ବରଂ ନିଜର ବିଶ୍ୱାସୀ ବନ୍ଧୁ ବୋଲି ଭାବିବେ। ଏଭଳି ଏକ ଅଭିନବ ପରିକଳ୍ପନା ଦେଶରେ ପ୍ରଥମ ଥର କାର୍ଯ୍ୟକାରୀ ହୋଇଛି ଜଗତସିଂହପୁର ଜିଲ୍ଲାରେ । ଏକ ଲୋକାଭିମୁଖୀ ପୁଲିସ ବାହିନୀ ଗଠନ ଉଦେଶ୍ୟରେ ଗତକାଲି ଜଗତସିଂହପୁର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି ‘ପୁଲିସ ଅଙ୍କଲ’। ଏହି ଯୋଜନାର ପ୍ରତୀକ ଭାବେ ପ୍ରସ୍ତୁତ ଷ୍ଟାଚ୍ୟୁକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଗତକାଲି ଉଦଘାଟନ କରିଛନ୍ତି । ଏହି ଷ୍ଟାଚ୍ୟୁରେ ପୁଲିସ୍ ଅଧିକାରୀ ଦୁଇ କୁନି କୁନି ପିଲାଙ୍କ ହାତ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ଏସ୍ପି ଜୟନାରାୟଣ ପଙ୍କଜଙ୍କ ଏଭଳି ନୂତନ ଚିନ୍ତା ଧାରା ଦେଶରେ ପ୍ରଥମ ଏବଂ ଏହା ପୁଲିସକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।
ଏହି କାର୍ଯ୍ୟକ୍ରମରେ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଳାପାଳ ଜାମିନୀ ଷଡ଼ଙ୍ଗୀ, ପାରାଦୀପ ପୋର୍ଟର ଚେୟାରମ୍ୟାନ୍ ରିଙ୍କେଶ ରାୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଉଦଘାଟନ କରି ଡିଜି ଡାକ୍ତର ଶର୍ମା କହିଥିଲେ ଯେ ପୁଲିସ ମାମୁଁ ଏବଂ ପୁଲିସ ଅଙ୍କଲ ଭିତରେ ଅନେକ ଫରକ ରହିଛି । ପିଲାଙ୍କୁ ଡରାଇବା ପାଇଁ ଆମେ ପୁଲିସ ମାମୁଁ ଶବ୍ଦ ବ୍ୟବହାର କରିଥାଉ। ଏହା ଦ୍ଵାରା ପିଲାଟି ଡରି ଯାଇଥାଏ ।
କିନ୍ତୁ ଏବେ ପୁଲିସ ଅଙ୍କଲ ଶବ୍ଦ ପିଲାମାନଙ୍କ ଭିତରେ ପୁଲିସ ପ୍ରତି ସକରାତ୍ମକ ଭାବନା ସୃଷ୍ଟି କରିବ। ପୁଲିସ ଅଙ୍କଲ ନାଁ ଶୁଣିଲେ ପିଲାମାନେ ନିଜକୁ ସୁରକ୍ଷିତ ମନେ କରିବେ। ଏଥିପାଇଁ ପୁଲିସ ବାବୁମାନଙ୍କ ଢ଼ାଞ୍ଚା ବଦଳାଇବାକୁ ପଡ଼ିବ। ସେଥିପାଇଁ ପୁଲିସ୍ ସାଧାରଣ ଲୋକଙ୍କୁ ଭଲ ବ୍ୟବହାର କରିବା ସହ ଅପରାଧୀ ମାନଙ୍କ ମନରେ ଭୟ ସୃଷ୍ଟି କରନ୍ତୁ ବୋଲି ଡିଜି ପରାମର୍ଶ ଦେଇଥିଲେ ।