କନକ ବ୍ୟୁରୋ : ମରିଯାଉଛି ମାନବିକତା । ଶବ ସତ୍କାର ପାଇଁ ୮ହଜାର ଟଙ୍କା ନେଲା ପୋଲିସ । ୬ଦିନ ସ୍ୱାମୀର ଶବ ସହ ଅଟକ ରହିଲେ ସ୍ତ୍ରୀ ଓ ପୁଅ । ତାମିଲନାଡୁର ଜୋଲାରପେଟ୍ଟାରୁ ଏଭଳି ଏକ କରୁଣ କାହାଣୀ ସାମ୍ନାକୁ ଆସିଛି । ସୁନ୍ଦରଗଡ ସବଡେଗା ବ୍ଲକ ଫଗୁଆପଡ଼ାର ମନୋରଞ୍ଜନ ନାଏକ ଗତ ୬ତାରିଖରେ ନିଜ ପତ୍ନୀ ମୁନୁମତି ଓ ପୁଅ ବିଶାଳ ସହ କୋଏମ୍ବାଟୁର ଚା’ ବଗିଚାକୁ ଦାଦନ ଖଟିବାକୁ ଟ୍ରେନରେ ଯାତ୍ରା କରୁଥିଲେ । ବାଟରେ ଜୋଲାର ପେଟ୍ଟାଇଠାରେ ଟ୍ରେନରୁ ଖସି ମନୋରଞ୍ଜନଙ୍କ ମୃତ୍ୟୁ ହୋଇଗଲା ।

Advertisment

ଶବ ଫେରାଇ ଆଣିବାକୁ ପତ୍ନୀ ପାଖରେ ସମ୍ବଳ ନଥିଲା । ସେଠାରେ ଶବ ସକ୍ରାର କରିବାକୁ ଚାହୁଁଥିଲେ କିନ୍ତୁ ଏଥିପାଇଁ ଟଙ୍କା ଦାବି କଲା ତାମିଲନାଡ଼ୁ ପୋଲିସ । ଫଳରେ ଅସହାୟ ମା’ ଓ ପୁଅ ୬ଦିନ ଶବ ସହ ଅଟକ ରହିଲେ । ଗୁହାରି କରିବା ପରେ ମଧ୍ୟ ଶ୍ରମିକ ପଞ୍ଜୀକରଣ କରିନଥିବା ଦର୍ଶାଇ ସୁନ୍ଦରଗଡ଼ ଶ୍ରମ ବିଭାଗ ହାତଟେକି ଦେଲା । ଶବ ସକ୍ରାର ପାଇଁ ଜୋଲାରପେଟ୍ଟାଇ ରେଳବାଇ ପୋଲିସ ୧୨ହଜାର ଟଙ୍କା ଦାବି କରିଥିଲା । ଶବ ଆଣିବା ପାଇଁ ଶବବାହକ ଗାଡ଼ି ପାଇଁ ୯୦ ହଜାର ଟଙ୍କା ଓ କାର୍ଗୋ ବିମାନରେ ଲକ୍ଷେ ୨୦ହଜାର ଟଙ୍କା ଦାବି କରିଥିଲା ଏକ ପରିବହନ ସଂସ୍ଥା ।

ସୁନ୍ଦରଗଡ଼ର ସମର୍ପିତ ସେବା ସଂସ୍ଥାନର ସିଦ୍ଧାନ୍ତ ପଣ୍ଡାଙ୍କୁ ଫୋନେ୍ ଯୋଗେ ସମସ୍ତ ଘଟଣ ସମ୍ପର୍କରେ ଅବଗତ କରିଥିଲେ । ଏହାପରେ ଜୋଲାରପେଟ୍ଟାଇର ରେଳବାଇ ପୋଲିସ ସହ ଯୋଗାଯୋଗ କରିବା ପରେ ଅତି କମରେ ୮ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ଶେଷରେ ସଂସ୍ଥାନର ସଦସ୍ୟ ଅଶୋକ ବରାଇ, ନୀରଜ ଅଗ୍ରୱାଲ ଓ ସିଦ୍ଧାନ୍ତ ପଣ୍ଡା ମିଶି ରେଳବାଇ ପୋଲିସ ନୀରିକ୍ଷକ କେ.ରବିକୁମାରଙ୍କ ଆକାଉଂଟକୁ ଟଙ୍କା ପଠାଇଥିଲେ । ଏହାପରେ ମନୋରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ପରେ ଶବ ସକ୍ରାର ହୋଇଥିଲା ।