କନକ ବ୍ୟୁରୋ: ସମାଜ ଆଗରେ ନିଜକୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ଦୁଇଜଣ ଲୋକ କେତେ ଭୟଙ୍କର କାମ କରିପାରନ୍ତି, ତାହା କଳ୍ପନା ବାହାରେ । ଲୋକଙ୍କ ପାଇଁ ଲୈଲା ସାଜିଥିବା ଏହି ମହିଳା ହେଉଛନ୍ତି ରିନି ସାହୁ । ଆଉ ଲୈଲାଙ୍କ ସ୍ୱାମୀ ମଜନୁ ହେଉଛି ସ୍ପର୍ଶକାନ୍ତ ସାହୁ । ରିନିର ମାୟାଜାଲରେ ଯିଏ ଥରେ ପଡ଼ିଲା, ସେ ସର୍ବଶ୍ୱାନ୍ତ ହେବାଟା ସୁନିଶ୍ଚିତ ।

Kanak News is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁସାରେ, ବଡ଼ଗଡ଼ ଥାନା ଅଧୀନ ଜେବିଏସ୍ ମାର୍ଟର ମାଲିକଙ୍କୁ ଲୁଟିଥିଲେ ଏହି ଠକ ଦମ୍ପତି । ପ୍ରଥମେ ଉକ୍ତ ମାର୍ଟରେ ଚାକିରି କରିବାର ଅଭିନୟ ଏବଂ ପରେ ପୂଜାର୍ଚ୍ଚନା କରି ମାଲିକଙ୍କୁ ରାତାରାତି କୋଟିପତି କରିଦେବାର ପ୍ରଲୋଭନ ଦେଖାଇଥିଲେ । ଜଣେ ଠକକୁ ତ୍ରିକାଳଦର୍ଶୀ ବାବାର ପରିଚୟ ଦେଇ ପୂଜାର୍ଚ୍ଚନା ମାଧ୍ୟମରେ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିଲେ ଏମାନେ । ଏହି ୪୨୦ ଦମ୍ପତିଙ୍କୁ ପୋଲିସ ଗିରଫ କରିଥିବା ବେଳେ ବାବା ଏବେ ଫେରାର ।
ଏହି ଦମ୍ପତିଙ୍କୁ ମିଶାଇ ମୋଟ ୬ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ୮ ଦିନ ତଳେ ସ୍ୱାମୀ ସ୍ପର୍ଶକାନ୍ତ ସାହୁକୁ ଗିରଫ କରାଯାଇଥିବା ବେଳେ ମଙ୍ଗଳବାର ପତ୍ନୀ ରିନି ସାହୁଙ୍କୁ ଗିରଫ କରାଯାଇଛି । ଏହି ଦମ୍ପତି, ତ୍ରିକାଳଦର୍ଶୀ ବାବା ନାଁରେ କେତେ ଲୋକଙ୍କୁ ଚୁନା ଲଗାଇଛନ୍ତି, ତା’ର ହିସାବ କରୁଛି ପୋଲିସ । ଠକିଥିବା ଟଙ୍କା କେଉଁଠି ବିନିଯୋଗ ହୋଇଛି ଏବଂ କାହା କାହାର ଆକାଉଣ୍ଟକୁ ଯାଇଛି, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ତଦନ୍ତ ବେଳେ ଜଣାପଡ଼ିଛି, ରିନି ବାବାଙ୍କ ସମେତ ଆହୁରି ୪ଜଣଙ୍କ ସହ ମାର୍ଟ ମାଲିକଙ୍କ ସହ ଫୋନ୍ ଯୋଗେ କଥାବାର୍ତା କରାଇଥିଲେ । ଏହି ସମସ୍ତଙ୍କ ମୋବାଇଲ ନମ୍ବର ରିନି ନାଁରେ ରେଜିଷ୍ଟ୍ରେସନ୍ ହୋଇଥିଲା । ଯେଉଁଥିରେ ମୁଖ୍ୟ ଭୂମିକା ରିନି ନେଇଥିବା ବେଳେ ମୁଖ୍ୟ ସହଯୋଗୀ ସାଜିଥିଲେ ତାଙ୍କ ସ୍ୱାମୀ ସ୍ପର୍ଶକାନ୍ତ ।
ଏଠାରେ ପ୍ରଶ୍ନ ଉଠୁଛି…
- କାହା ଛତ୍ରଛାୟା ତଳେ କାମ କରୁଥିଲେ ଏହି ଠକ ଦମ୍ପତି?
- ବାବାଙ୍କ ସହ ଏହି ଦମ୍ପତିଙ୍କର ସମ୍ପର୍କ କ’ଣ?
- କେତେ ଜଣଙ୍କୁ ଲୁଟିଛନ୍ତି ଏହି ଦଲାଲ ଦମ୍ପତି?
- ଦମ୍ପତି ଜେଲ ଗଲେ, ହେଲେ ବାବା ଗଲେ କୁଆଡ଼େ?