ଖାକିର ଦାଦାଗିରି ! ମକା ଚାଷ ଉପରେ ଗାଡି ମଡ଼ାଇ ଦେଲେ ଡାବୁଗାଁ ଆଇଆଇସି

48

କନକ ବ୍ୟୁରୋ: ନବରଙ୍ଗପୁରରେ ଖାକିର ଦାଦାଗିରି । ଜଣେ ଚାଷୀଙ୍କ ମକା ଚାଷ ହୋଇଥିବା ଜମିରେ ପୁଲିସ ଗାଡି ଚଳାଇ ଫସଲ ନଷ୍ଟ କରିଦେଇଛନ୍ତି ଡାବୁଗାଁର ଥାନା ଅଧିକାରୀ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗତିଗୁଡ଼ା ଗାଁରେ ।

ଡାବୁଗାଁ ଥାନାର ଆଇଆଇସି ସୁବାସ ଚନ୍ଦ୍ର ରାୟଗୁରୁ ଏଭଳି କାଣ୍ଡ ଘଟାଇଛନ୍ତି । ଉମରକୋଟ ଗତିଗୁଡ଼ାରେ ଆଇଆଇସିଙ୍କ ଶ୍ୱଶୁର ତାଙ୍କୁ କିଛି ଜମି ଦେଇଥିଲେ, ସେହି ଜମିକୁ ଲାଗି ଥିବା ଜମିରେ ଜଣେ ଚାଷୀ ମକା ଚାଷ କରିଥିବାରୁ ଫଳରେ ଜମିକୁ ଯିବା ରାଂସ୍ତା ବନ୍ଦ ହୋଇଯାଇଥିଲା । ଏହି କାରଣରୁ ଥାନା ଅଧିକାରୀ ଜଣକ ଉତ୍ୟକ୍ତ ହୋଇ ଚାଷୀଙ୍କ ଜମିରେ ଗାଡି ମଡ଼ାଇ ଦେଇଥିଲେ ।

ଖାଲି ଏତିକି ନୁହେଁ ଚାଷୀଙ୍କୁ ଜୀବନରୁ ମାରିଦେବାର ଧମକ ଦେବାରୁ ମଧ୍ୟ ପଛାଇ ନଥିଲେ ପୁଲିସ୍ ବାବୁ । ମକା ଚାଷ କାହିଁକି ନଷ୍ଟ କଲେ ବୋଲି ଚାଷୀ ପଚାରିବାରୁ ଏହାର ଉତ୍ତରରେ ଦରକାର ପଡିଲେ ତାଙ୍କୁ ବି ଚାପି ଦେବେ ବୋଲି ଆଇଆଇସି କହିଥିଲେ । ଏନେଇ କ୍ୟାମେରା ଆଗରେ କିଛି ବି କହିବାକୁ ମନା କରିଦେଇଛନ୍ତି ସମ୍ପୃକ୍ତ ପୁଲିସ ଅଧିକାରୀ । ଏନେଇ ଏସଡିପିଓଙ୍କୁ ଯୋଗାଯୋଗ କରିବାରୁ ଲିଖିତ ଅଭିଯୋଗ ହୋଇନାହିଁ । ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।