ମାସ୍କ ପାଇଁ ମାଡ: ଖସିଗଲା ମାସ୍କ, ମାଡ ମାରିଲା ପୋଲିସ । ଚେକିଂ ବେଳେ ଫାଇନ ମାଗି ଆଖିବୁଜା ପିଟିଲା ପୋଲିସ । ପୁରୀ ପୋଲିସ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ ।
କନକ ବ୍ୟୁରୋ: ଖସିଗଲା ମାସ୍କ, ମାଡ ମାରିଲା ପୋଲିସ । ମୁହଁରେ ମାସ୍କ ଟିକେ ଖସି ଯାଇଥିବାରୁ ଯୁବକଙ୍କୁ ନିସ୍ତୁକ ପିଟିଲା ପୋଲିସ । ମାସ୍କ ଚେକିଂ ବେଳେ ବଡଶଙ୍ଖ ଠାରେ ଶକ୍ତି ପ୍ରସାଦ ନାଥଙ୍କୁ ପୁରୀ ପୋଲିସ ବାଡେଇଥିବା ଅଭିଯୋଗ ହୋଇଛି । ଶକ୍ତିଙ୍କ କହିବା କଥା ସେ ମେଡିସିନ ପାଇଁ ଯିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ମାସ୍କ ତଳକୁ ଖସିଯାଇଥିବାରୁ ଫାଇନ ମାଗିଥିଲା । ଆଉ ପରେ ଧମକାଇ ୭ରୁ ୮ ଜଣ ପୋଲିସ ତାଙ୍କୁ ନିର୍ଧୂମ ପିଟିଥିବା ସେ କହିଛନ୍ତି । ଯେଉଁଥିରେ ତାଙ୍କ ହାତ, ଛାତି ଓ ପିଠିରେ ଗଭୀର ଆଘାତ ଲାଗିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମାଡ ମାରିବା ପରେ ତାଙ୍କୁ କୁମ୍ଭାର ପଡା ଥାନାକୁ ନେଇଯାଇଥିଲା ପୋଲିସ । ତେବେ ଏତିକିରେ ସରିନଥିଲା ପୋଲିସର ହରକତ । ଥାନାରେ ଶକ୍ତି ପ୍ରସାଦଙ୍କ ବିଦେଶୀ ପତ୍ନୀଙ୍କୁ ନେଇ ମଧ୍ୟ ଏଣୁତେଣୁ ଅଶାଳୀନ ଭାଷା ବ୍ୟବହାର କରାଯାଇଥିବା ଶକ୍ତି ଅଭିଯୋଗ କରିଛନ୍ତି । ତେବେ ରଥଯାତ୍ରା ସହ ବିଭିନ୍ନ ସମୟରେ ପୁରୀ ପୋଲିସ ନିଜ କାର୍ଯ୍ୟଶୈଳୀ ପାଇଁ ପ୍ରଶଂସିତ ହୋଇଛି । କିନ୍ତୁ ଏବେ ପୋଲିସର ହାବଭାବ ଅନେକ ବଦଳିଯାଇଥିବା ଅଭିଯୋଗ ହେଉଛି ।
ସେପେଟ କରୋନା କଟକଣା ପାଇଁ ମାସ୍କ ବାଧ୍ୟତାମୂଳକ ଥିବା ବେଳେ ଅନେକ ଅମାନିଆ ବିନା ମାସ୍କରେ ବୁଲୁଛନ୍ତି । ଅନେକ ଜାଣି ଜାଣି ମାସ୍କ ମୁହଁ ତଳକୁ ଖସାଇ ଦେଉଛନ୍ତି । ଆଉ କେହି କେହି ପୋଲିସ ଦେଖିଲେ ଫାଇନ କଟା ଭୟରେ ମାସ୍କ ପିନ୍ଧି ଦେଉଥିବା ବେଳେ ପୁଣି ଫାଙ୍କା ଦେଖି ଖୋଲି ଦେଉଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି କେହି ମାସ୍କ ପିନ୍ଧି ନାହିଁ କି ପିନ୍ଧିବା ଶୈଳୀ ଭୁଲ କରିଛି ତାହାଲେ ଚେକିଂ କରୁଥିବା ଅଫିସର ତାଙ୍କୁ ଆଗକୁ ଭୁଲ ନକରିବାକୁ ବୁଝାଇବା ଉଚିତ କିମ୍ବା ଫାଇନ କାଟି ଦଣ୍ଡ ଦେବା ଉଚିତ । ହେଲେ ଏସବୁ ନକରି ଲୋକଙ୍କ ଉପରେ ହାତ ଉଠାଇବା, ଲୋକଙ୍କୁ ମାଡ ମାରିବା କେତେ ଦୂର ଠିକ ? ଅମାନିଆଙ୍କୁ ସାବାଡ ପାଇଁ ଦଣ୍ଡବିଧାନ କରିପାରିବ ହେଲେ ନିସ୍ତୁକ ବାଡେଇବା କେତେ ଯୁକ୍ତିଯୁକ୍ତ ? ପୁରୀର ଶକ୍ତିଙ୍କୁ ବିନା କାରଣରେ ମାଡ ମାରିବାକୁ ପୋଲିସକୁ କିଏ ଦେଲା ଅଧିକାର, କିଏ ଦେଇଥିଲା ଅର୍ଡର? ଏ ସମସ୍ତ ପ୍ରଶ୍ନ ଏବେ ପୁରୀ ପୋଲିସ ଉପରେ ଆଙ୍ଗୁଳି ଉଠାଇଛି ।