ପୋଲିସର ଏ କି ରୂପ ? କେଉଁଠି ନିୟମ ଭାଙ୍ଗିଲେ ଫାଇନ ମାଗୁଛି ତ କେଉଁଠି ସବୁ ନିୟମ ଭୁଲି ଲାଞ୍ଚ ନେଉଛି

1,076

କନକ ବ୍ୟୁରୋ: ନୂଆ ନିୟମ ଅନୁସାରେ ଏବେ ସବୁଠି କଡାକଡି ହୋଇଛି ଟ୍ରାଫିକ ବ୍ୟବସ୍ଥା । ଗାଡି ଚାଳନାରେ ହେଉ ଅବା କାଗଜ ପତ୍ରରେ ଟିକେ ଗଡବଡ ଦେଖିଲେ ମାଡି ବସୁଛନ୍ତି ଟ୍ରାଫିକ ପୋଲିସ । ତେଣୁ ରାସ୍ତାରେ ପୋଲିସ କିମ୍ବା ଟ୍ରାଫିକ ପୋଲିସଙ୍କୁ ଦେଖିଲେ ଦୂରରୁ ଛାତିରେ ଛେପ ପକାଉଛନ୍ତି ନିୟମ ଭାଙ୍ଗୁଥିବା ଚାଳକ । ତେବେ ଗୋଟିଏ ପଟେ ଟ୍ରାଫିକ ପୋଲିସ ନିୟମ ଉଲ୍ଲଙ୍ଘନକାରୀଙ୍କୁ ନିସ୍ତାର ଦେଉ ନଥିବା ବେଳେ ଅନ୍ୟପଟେ କିଛି ପୋଲିସ ହାତଗୁଞ୍ଜା ନେବାରେ ହେଳା କରୁ ନାହାନ୍ତି ।

ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ । କେମିତି ଜଣେ ପୋଲିସ ରାସ୍ତା ଉପରେ ଟ୍ରକକୁ ଅଟକାଉଛନ୍ତି । ଆଉ ଟ୍ରକର ଡ୍ରାଇଭରକୁ କିଛି ଇସାରା କରୁଛନ୍ତି । ପୋଲିସ ବାବୁଙ୍କ ଇସାରା ବୁଝି ଡ୍ରାଇଭର ଜଣଙ୍କ ତାଙ୍କ ହାତକୁ କିଛି ବଢାଇ ଦେଉଛନ୍ତି । ହେଲେ ସେତିକିରେ ମନ ବୁଝିଲାନି ବୋଧେ ପୋଲିସ ବାବୁ ହାତ ଛାଟି ଦେଇ ପଳେଇ ବି ଯାଉଛନ୍ତି । ଆଉ କିଛି ବାଟ ଗଲା ପରେ ପୁଣି ଡ୍ରାଇଭରର ଡାକରେ ଟ୍ରକ ପାଖକୁ ଆସୁଛନ୍ତି । ଆଉ ଟଙ୍କା ନେଇ ଟ୍ରକକୁ ଯିବା ପାଇଁ ସିଗନାଲ ଦେଉଛନ୍ତି ।

ଅନ୍ୟ ଏକ ଦୃଶ୍ୟ ଦେଖନ୍ତୁ । ବ୍ରିଜ ତଳେ ଅଟକିଥିବା ଏକ ଟ୍ରକ ପାଖରେ ଜଣେ ପୋଲିସ ଅଛନ୍ତି । ଆଉ ସେ ମଧ୍ୟ ଡ୍ରାଇଭର ଠାରୁ ଟଙ୍କା ଆଦାୟ କରୁଛନ୍ତି । ଟ୍ରକ ଡ୍ରାଇଭର ଲାଞ୍ଚ ଦେବା ପରେ ଏଣେତେଣେ ଚାହିଁ ଚୁପ କିନା ନିଜ ପକେଟରେ ପୂରାଇ ଦେଉଛନ୍ତି ଆଉ ଟ୍ରକକୁ ଛାଡି ଦେଉଛନ୍ତି ।

ତେବେ ଲାଞ୍ଚ ନେବାର ଦୃଶ୍ୟ ଫୁଲନଖରାର ହୋଇଥିବା ବେଳେ ଲାଞ୍ଚୁଆ ପୋଲିସର ସାଙ୍ଘାତିକ ସତକୁ ସାମ୍ନାକୁ ଆଣିଛି । କଟକ-ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥା ଟାଇଟ ହୋଇଥିବା ବେଳେ ଫୁଲନଖରାରେ କେମିତି ପୋଲିସ ବଟି ଆଦାର କରୁଛନ୍ତି ଏ ଦୃଶ୍ୟ ତାର ପ୍ରମାଣ ଦେଉଛି । ତେବେ ନୂଆ ନିୟମର ନାଲି ଆଖି ଦେଖାଇ ପୋଲିସ ଫାଇଦା ନେଉନି ତ ଏ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଛି ।