ସାତକୋଶିଆ ହାତିବାରି ବିଟ୍ ହାଉସ୍ ପୋଡି ଘଟଣା : ବନ୍ଧା ହେବେ ସରକାରୀ କାର୍ଯ୍ୟାଳୟ ପୋଡିଥିବା ଦୁର୍ବୃତ୍ତ

36

କନକ ବ୍ୟୁରୋ: ସାତକୋଶିଆ ହାତିବାରୀ ବିଟ୍ ହାଉସ୍ ପୋଡି ଘଟଣାରେ ବନ୍ଧା ହେବେ ଦୁର୍ବୃତ୍ତ । ଏନେଇ ବନବିଭାଗର ରିପୋର୍ଟ ଆଧାରରେ ପୁରୁଣାକୋଟ ଥାନାରେ ମାମଲା ରୁଜୁ କରିଛି ଅନୁଗୁଳ ପୋଲିସ । ହାତୀବାରି ବିଟହାଉସ୍ ପୋଡି, ଟିକରପଡା ବୋଟ୍ ପୋଡି, କାର୍ଯ୍ୟାଳୟ ପୋଡି ଘଟଣାରେ ପୃଥକ ପୃଥକ୍ ଭାବେ ୩ଟି ମାମଲା ରୁଜୁ କରିଛି ପୋଲିସ୍ ।

ଏହି ପୋଡାଜଳାରେ ୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସରକାରୀ ସମ୍ପତି ନଷ୍ଟ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏହା ସହିତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଛି । ହାତୀବାରୀ ଗାଁର ଜଣେ ମହିଳାଙ୍କୁ ବାଘୁଣି ସୁନ୍ଦରୀ ଆକ୍ରମଣ କରି ମାରିଦେଇଥିବା ଅଭିଯୋଗରେ ଗ୍ରାମବାସୀମାନେ ପୋଡାଜଳା କରିଥିଲେ ।

ସୂଚନାଯୋଗ୍ୟ ଯେ, ବାଘୁଣୀ ସୁନ୍ଦରୀକୁ ନେଇ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଭୟ ଶେଷରେ ଟିକରପଡା ପଞ୍ଚାୟତ ହାତୀବାରି ଗାଁର ଜଣଙ୍କୁ ମାରିବା ପରେ ଆହୁରି ଚରମସୀମାରେ ପହଞ୍ଚି ଯାଇଥିଲା। ଉତ୍ତ୍ୟକ୍ତ ଲୋକେ ମଝିପଡା ଓ ହାତୀବାରୀ ବିଟ୍‌ ହାଉସ୍‌ରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଟିକରପଡ଼ାରେ ଥିବା ବନ ବିଭାଗର ବୋଟ୍‌ଗୁଡିକୁ ପୋଡ଼ି ଦେଇଥିଲେ। ଏହି ଲଙ୍କାକାଣ୍ଡ ଯୋଗୁଁ ବନ ବିଭାଗର ପ୍ରାୟ ୪ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି। ଏ ନେଇ ବନ ବିଭାଗ ଅନୁଗୁଳ ପୁଲିସରେ ଲୋକଙ୍କ ବିରୋଧରେ ୩ଟି ମାମଲା ରୁଜୁ କରିଛି।