ବିଶୃଙ୍ଖଳାକାରୀଙ୍କୁ ଅଭୟଙ୍କ କଡା ନିର୍ଦ୍ଦେଶ…ଏଣିକି ଡାକ୍ତରଙ୍କୁ ଆକ୍ରମଣ କଲେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ

455

କନକ ବ୍ୟୁରୋ: କରୋନା ପାଇଁ ଏବେ ରାଜ୍ୟର ହସ୍ପିଟାଲଗୁଡ଼ିକୁ ସରକାର ପ୍ରାଥମିକତା ଭିତ୍ତିରେ ଗୁରୁତ୍ୱ ଦେଉଛନ୍ତି। ଏଭଳି ସ୍ଥିତିରେ ଅନେକ ହସ୍ପିଟାଲରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଘଟଣା ପୁଲିସ ବିଭାଗର ନଜରକୁ ଆସିଛି। ତେବେ, ଏଭଳି ଘଟଣା ଘଟାଉଥିବା ଦୁର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ଡିଜି ଅଭୟ ଜିଲ୍ଲା ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ କରୋନାର ମୁକାବିଲା ପାଇଁ ଡାକ୍ତରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏଭଳି ସ୍ଥିତିରେ ବିଭିନ୍ନ ହସପିଟାଲଗୁଡ଼ିକରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ରୋଗୀଙ୍କ ଆଟେଣ୍ଡାଣ୍ଟ ଦୁର୍ବ୍ୟବହାର ଓ ଆକ୍ରମଣ କରିବା ଭଳି ସଂଗିନ ଅଭିଯୋଗ ବିଭିନ୍ନ ଜିଲ୍ଲା ପୁଲିସରେ କରାଯାଇଛି। ଦୁର୍ବୃତ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାନଗଲେ ଡାକ୍ତରଙ୍କ ମନୋବଳ ଭାଙ୍ଗିବାର ଆଶଙ୍କା ରହିଛି।

ଏଭଳି ସ୍ଥିତିର ମୁକାବିଲା କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଥିବା ଦୁର୍ବୃତ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଏସପି/ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଏଭଳି ଅଭିଯୋଗ ଥାନାକୁ ଆସିବା ମାତ୍ରକେ ତୁରନ୍ତ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରାଯିବ। ଏହି ଘଟଣାର ତଦନ୍ତ ଜଣେ ଡିଏସପି କିମ୍ବା ଉପର ପାହ୍ୟାର ଅଧିକାରୀଙ୍କ ଦ୍ବାରା ତଦାରଖ କରାଇ ଚାର୍ଜସିଟ୍ ଏବଂ ଫାଇନାଲ ଫର୍ମ ଏକ ମାସ ମଧ୍ୟରେ ଦାଖଲ କରିବାକୁ ଡିଜି ଅଭୟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।