କନକ ବ୍ୟୁରୋ : ଭୁବନେଶ୍ୱର ପଦ୍ମକେଶରୀପୁରରେ ମହାଜନୀ କାରବାରକୁ ନେଇ ସାରା ରାଜ୍ୟରେ ଚଂଚଲ୍ୟ ଖେଳି ଯାଇଥିଲା । ଏବେ ବି ରାଜଧାନୀ ଛାତିରେ ସୁଧ କାରବାର ଚାଲିଥିବ ଏହି କଥାକୁ କେହି କେବେ ବି ବିଶ୍ୱାସକୁ ନେଇପାରୁ ନଥିଲେ। ଯିଏ ମୁହଁ ଖୋଲିଲା ତା ଉପରେ ଆକ୍ରମଣ ହେଲା। ନା ପୁଲିସ ନା ପ୍ରଶାସନ କେହି ବି ପିଠିରେ ପଡିଲେନି। ସୁଧିଆଙ୍କ ଦୌରାତ୍ମ ଏତେ ଅଧିକ ଯେ ୧୦ ହଜାର ଟଙ୍କା ମୂଳ ଦେଇ ସୁଧ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଜୋର ଜବରଦସ୍ତ ଆଦାୟ କରୁଛନ୍ତି। ଆଉ ସୁଧ, ମୂଳ ହିସାବ କରି ଭିଟାମାଟି, ଘରଡିହ ନହେଲେ ଜମି ଛଡାଇ ନେଉଛନ୍ତି। ଆଉ ଯଦି କେହି ଏହାର ପ୍ରତିବାଦ କଲା ତାହେଲେ, ଘରେ ପଶି ହାଣୁଛନ୍ତି। କିଛି ଲୋକ ସାହସ ଦେଖାଇ କନକ ନ୍ୟୁଜ କ୍ୟାମେରା ଆଗରେ ସତ ବଖାଣିଥିଲେ। ଏହି ଖବର ପ୍ରସାରଣ ପରେ, ଆକ୍ସନ ମୋଡକୁ ଆସିଛି ପୁଲିସ । ସୁଧିଆଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତାର ଦଫା ୨୯୬, ୩୦୮(୨), ୩୦୮(୩),୩୫୧(୩) ଓ ୩(୫)ରେ ମାମଲା ରୁଜୁ ହୋଇଛି।
ସୁଧ କାରବାର ସମ୍ପୁର୍ଣ୍ଣ ବେଆଇନ। ଏହି ବେଆଇନ କାରବାରକୁ ବେଧଡକ ଭାବେ ଚଳାଇ ଆସୁଥିବା ମହାଜନ ମାନେ ଗରିବ ଲୋକଙ୍କ ତଂଟି ଚିପି ଟଙ୍କା ଆଦାୟ କରୁଛନ୍ତି। ପୁର୍ବତନ ପୁଲିସ ଅଧିକାରୀ କହିଛନ୍ତି ଏହି ଘଟଣାରେ କେବଳ ମାମଲା ରୁଜୁ କଲେ ହେବନି ବରଂ ଏଭଳି ଦୃଷ୍ଟାନ୍ତମୂଳକ କାର୍ୟାନୁଷ୍ଠାନ ଗ୍ରହଣ କରାଯାଉ ଯେପରି ଆଉ କେହି ସୁଧ କାରବାର କରିବାକୁ ସାହସ କରିବେ ନାହିଁ।
ବୋଧ ହୁଏ ଓଡିଶା ଇତିହାସର ଏହା ପ୍ରଥମ ଘଟଣା ଯେଉଁଠି ମୂଳ ବାଦକୁ ସୁଧ ହଜାର ହଜାର ଗୁଣା ଅଧିକା। ସାମାନ୍ୟ ଟଙ୍କା ପାଇଁ ଏଠି ରକ୍ତର ହୋଲି ଖେଳନ୍ତି ମହାଜନ। ନା ଶୁଣେ ପ୍ରଶାସନ, ନା କେବେ ମୁହଁ ଖୋଲନ୍ତି ସୁଧ ଗଣୁଥିବା ଗରିବ ଖଟିଖିଆ। ତେବେ ଟଙ୍କା ଓ ବାହୁବଳରେ ବଳିଆନ ହୋଇଥିବା ଏହି ମଣିଷ ରୁପୀ ସଇତାନଙ୍କ ବିରୋଧରେ କେବେ ହେଉଛି କାର୍ୟାନୁଷ୍ଠାନ ତାକୁ ହିଁ ଅପେକ୍ଷା।