ରିମାଣ୍ଡରେ ଯିବ ଗଞ୍ଜେଇ ବେପାରୀ : ଗତକାଲି ଚଢ଼ାଉ ପରେ ଜବତ ହୋଇଥିଲା ପୁଳା ପୁଳା ସୁନା ଆଉ ବିଡା ବିଡା ଟଙ୍କା

214

କନକ ବ୍ୟୁରୋ : ଖଲିକୋଟ ଖୋଜପଲ୍ଲୀ ଗାଁର ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକଙ୍କୁ ରିମାଣ୍ଡରେ ନେବ ପୋଲିସ । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ରଜନୀକାନ୍ତ ପଟ୍ଟନାୟକଙ୍କ ଘରେ ଚଢ଼ାଉ ପରେ ଜବତ ହୋଇଥିଲା ପୁଳା ପୁଳା ସୁନା ଆଉ ବିଡା ବିଡା ଟଙ୍କା । ଜଣେ ଗଞ୍ଜେଇ ବେପାରୀଙ୍କ ଘରୁ ଏତେ ପରିମାଣର ସୁନା ଓ ଟଙ୍କା ଜବତ ହେବା ପରେ ଚମକି ପଡିଥିଲେ ଚଢ଼ାଉ କରିବାକୁ ଯାଇଥିବା ଅଧିକାରୀ ।

ପୋଲିସର ସୂଚନା ଅନୁସାରେ ରଜନୀକାନ୍ତଙ୍କ ଘରୁ ଜବତ ହୋଇଥିଲା ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୮ କେଜି ୫୯୬ ଗ୍ରାମ ସୁନା । ୩୧ କେଜିରୁ ଅଧିକ ଗଞ୍ଜେଇ ଓ ୧୦ କେଜି ଅଫିମ ଜବତ ହୋଇଥିଲା । ପୋଲିସର ଚଢ଼ାଉ ପରେ ସାମନାକୁ ଆସିଛି ରଜନୀକାନ୍ତଙ୍କ ନିଶା କାରବାରର ସାମ୍ରାଜ୍ୟ । ଗତକାଲି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ରଜନୀକାନ୍ତ କନ୍ଧମାଳରୁ ଟନ୍‌ ଟନ୍‌ ଗଞ୍ଜେଇ ଆଣି ବାହାରକୁ ଚାଲାଣ କରିବା ସହ ସ୍ଥାନୀୟ ଅଞ୍ଚଳରେ ନିଜ ନିଶା କାରବାର ସାମ୍ରାଜ୍ୟକୁ ବଢ଼ାଇ ଚାଲିଥିଲା।

ତେବେ ଖଲ୍ଲିକୋଟ ପୁଲିସ ଏହି ମାଫିଆକୁ କାବୁ କରିବା ସହ ନିଶା କାରବାରର ‌ଚେର ଖୋଳୁଛି । ଖଲ୍ଲିକୋଟ ଥାନା ପରିସରରେ ଗଂଜାମ ଏସ୍‌.ପି ବ୍ରିଜେଶ କୁମାର ରାୟ ଏକ ସାମ୍ବାଦିକ ସମିଳନୀରେ ୪୦ ବର୍ଷ ଧରି ନିଶା କାରବାର ଚଳାଇଥିବା ରଜନୀକାନ୍ତର ଅପରାଧ ପେଡ଼ି ଖୋଲିଛନ୍ତି । ପୁଲିସ ରଜନୀକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।