ସାବାସ ଏସପି ! ସକାଳୁ ସନ୍ଧ୍ୟା ଯାଏଁ ବର୍ଦ୍ଦିରେ ରହି କରନ୍ତି ପୋଲିସର ଡ୍ୟୁଟି, ପରେ ଡାକ୍ତର ହୋଇ କରନ୍ତି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ।

499

କନକ ବ୍ୟୁରୋ : ମହାମାରୀ କରୋନା, କଷ୍ଟର କେତେ ଯେ କାହାଣୀ ଲେଖିଲାଣି, ତାହା ମନେ ପଡିଲେ ହୃଦୟ ଥରି ଉଠୁଛି । ମହାମାରୀକୁ ରୋକିବା ପାଇଁ ଦେଶରେ ଲକଡାଉନ୍, ସଟଡାଉନ୍ ଭଳି କଟକଣା ଜାରି କରାଯାଇଛି । ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅନେକ କରୋନା ଯୋଦ୍ଧା ନିଜ ପରିବାରକୁ ପର କରି ମହାମାରୀ ସହ ଯୁଦ୍ଧରେ ଅସଲ ଯୋଦ୍ଧା ସାଜିଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ପୋଲିସ ଅଫିସରଙ୍କ କାହାଣୀ କହିବୁ, ଯାହାଙ୍କ ଉଦାରପଣିଆ ବିଷୟରେ ଜାଣିଲେ, ଗର୍ବରେ ଆପଣଙ୍କ ଛାତି ଫୁଲିଉଠିବ ।

ଇନ୍ଦୋର ପୋଲିସର ସ୍ପେଶାଲ ବ୍ରାଞ୍ଚର ଏସପି ରାଜେଶ ସହାୟ । ଯିଏକି ପ୍ରତିଦିନ ପୋଲିସ ଅଫିସର ଭାବେ ନିଜ କର୍ତ୍ତବ୍ୟକୁ ସଠିକ ଭାବେ ପାଳନ କରିଥାନ୍ତି । ଆଉ ଡ୍ୟୁଟି ସରିଯିବା ପରେ ଡାକ୍ତର ହୋଇ କୋଭିଡ୍ ସଂକ୍ରମିତ ପୋଲିସ କର୍ମଚାରୀ ଏବଂ ତାଙ୍କ ପରିବାର ଲୋକଙ୍କ ଚିକିତ୍ସା କରିବା କାମରେ ଲାଗିପଡନ୍ତି ।

ଦେଶରେ ମହାମାରୀ ପାଦ ଥାପିବା ଦିନରୁ, ଅଦୃଶ୍ୟ ଭୂତାଣୁ ସହ ଅହରହ ଲଢି ଆସୁଛନ୍ତି ପୋଲିସ କର୍ମଚାରୀ । ଏପରିକି ଅନେକ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ମଧ୍ୟ ହୋଇଛନ୍ତି । ଆଉ ଏଭଳି ସ୍ଥିତିରେ ଏସପି ରାଜେଶ, ଦିନ ସାରା ବର୍ଦ୍ଦିରେ ରହି ପୋଲିସ ଡ୍ୟୁଟି ଶେଷ କରିବା ପରେ ଡାକ୍ତର ହୋଇ କରୋନାରେ ସଂକ୍ରମିତ ହୋଇଥିବା ପୋଲିସ କର୍ମଚାରୀ ଏବଂ ତାଙ୍କ ପରିବାର ଲୋକଙ୍କ ଚିକିତ୍ସା କରିଥାନ୍ତି । ଆପଣ ଭାବୁଥିବେ ଜଣେ ପୋଲିସ ଅଫିସର କେମିତି ଡାକ୍ତରଙ୍କ କାମ କରୁଛନ୍ତି ।

ଏସପି ରାଜେଶ ସହାୟ ପୋଲିସ ବାହିନୀକୁ ଆସିବା ଆଗରୁ ଏମବିବିଏସ୍ ଏବଂ ଏମଡିର ଡିଗ୍ରି ମଧ୍ୟ ହାସଲ କରିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ସେ ପୋଲିସ ଏସପି ସହ ଜଣେ ଭଲ ଡାକ୍ତର ମଧ୍ୟ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଦ୍ଦିରେ ରହି ପୋଲିସର କର୍ତ୍ତବ୍ୟ ପାଳନ କରୁଥିବା ବେଳେ ସନ୍ଧ୍ୟା ହେଲେ, ଡାକ୍ତର ହୋଇ ଚିକିତ୍ସା କରିବାକୁ ଆଗେଇ ଆସନ୍ତି ରାଜେଶ । କରୋନା କାଳରେ ଯେତେବେଳେ ମାନବିକତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ସେତେବେଳେ ଜଣେ ପୋଲିସ ଅଫିସରଙ୍କ ଏଭଳି ମହାନତା ନିହାତି ଭାବେ ପ୍ରଂଶସାଯୋଗ୍ୟ ।