ଉପନିର୍ବାଚନ ପୂର୍ବରୁ ପିପିଲିରୁ ଜବତ ହେଲା ୫୦ଲକ୍ଷ ଟଙ୍କା : ପୋଲିସ କହିଲା, ୨ଜଣଙ୍କୁ ଅଟକ ରଖି କରାଯାଉଛି ପଚରା ଉଚରା

ଫଟୋ ଜାରି କରି ୨ ଯୁବକଙ୍କ ବିଜେପି ସହ ସମ୍ପର୍କ ଥିବା ଅଭିଯୋଗ ଆଣିଲା ବିଜେଡି; ଅଭିଯୋଗକୁ ବିଜେପିର ଖଣ୍ଡନ

145

କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପୂର୍ବରୁ ଜବତ ହୋଇଛି ବିପୁଳ ପରିମାଣର ଟଙ୍କା । ଆସନ୍ତା ୧୭ ତାରିଖରେ ମତଦାନ ହେବାକୁ ଥିବାବେଳେ ଜବତ ହୋଇଛି ନଗଦ ୫୦ ଲକ୍ଷ ଟଙ୍କା । ନିର୍ବାଚନକୁ ଦୃଷ୍ଟିରେ ରଖି ଯାନବାହାନର କଡା ଚେକିଂ ଚାଲିଥିବା ବେଳେ ୫୦ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ତାରା ଛକ ନିକଟରେ ପୋଲିସ ଏହି ଟଙ୍କା ଜବତ କରିଛି ।

ପୋଲିସର ସୂଚନା ଅନୁସାରେ, ଗୋଟିଏ ବାଇକରେ ୨ଜଣ ବ୍ୟକ୍ତି ଯାଉଥିବା ବେଳେ ପିପିଲି ଟୋଲଗେଟ ନିକଟରେ ଚେକିଂ ଚାଲିଥିଲା । ଏହି ୨ ଯୁବକଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ସେମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ପିଛା କରି ତାର କଜା ଛକ ନିକଟରେ ଧରିଥିଲା । ଏହି ୨ ଜଣ ଯୁବକଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି । ଆସନ୍ତା ୧୭ ତାରିଖରେ ପିପିଲି ଉପ ନିର୍ବାଚନ ହେବାକୁ ଥିବା ବେଳେ କୌଣସି ଯାନବାହାନରେ ଯେଭଳି ଟଙ୍କା, ମାରଣାସ୍ତ୍ର, ନିଶା ସାମଗ୍ରୀ ପିପିଲି ନିର୍ବାଚନ ମଣ୍ଡଳୀକୁ ନଆସିପାରିବ ସେନେଇ ପିପିଲିର ପ୍ରବେଶ ପଥ ଗୁଡିକରେ ଜୋରଦାର ଯାଂଚ କରାଯାଉଛି । ପିପିଲି ଏସଡିପିଓ ଏହି ସୂଚନା ଦେଇଛନ୍ତି ।

ନିର୍ବାଚନ ପୂର୍ବରୁ ୫୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଜେପି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ବିଜେଡି । ଦଳୀୟ ସାଂସଦ କହିଛନ୍ତି- ଘଟଣାର ତଦନ୍ତ କରାଯାଉ । ଦଳ ଅଭିଯୋଗ କରିଛି ୨ ଜଣ ବିଜେପି କର୍ମୀଙ୍କଠାରୁ ୫୦ ଲକ୍ଷ ଜବତ ହୋଇଛି । ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିବାର ଅପଚେଷ୍ଟା କରାଯାଉଛି ବୋଲି ଦଳ ଅଭିଯୋଗ କରିଛି ।