ସଟଡାଉନ ସରୁ ସରୁ ଗଡିଲା ଶହ ଶହ ଗାଡି । ସରକାରଙ୍କ ତାଗିଦ ସତ୍ୱେ କେହି ମାନିଲେନି କଟକଣା । ପରିବା, ସଉଦା ପାଇଁ ଗାଡି ଧରି ବାହାରିଲେ, ଅମାନିଆଙ୍କୁ ରାସ୍ତା ଉପରେ ଉତ୍ତମ ମଧ୍ୟମ ଦେଲା ପୋଲିସ

943

କନକ ବ୍ୟୁରୋ: ରାତିରେ ସଟଡାଉନ ଉଠିଲା ଆଉ ରାତି ପାହୁ ପାହୁ ରାସ୍ତା ଉପରକୁ ଗଡିଆସିଲା ଶହ ଶହ ଗାଡି । ପୋଲିସର କଡା ନିର୍ଦ୍ଦେଶ ପରେ ବି ପନିପରିିବା ଏବଂ ସାମଗ୍ରୀ କିଣିବା ପାଇଁ ଗାଡି ନେଇ ବଜାର ଆସିଥିବା ଚାଳକଙ୍କୁ ରାସ୍ତା ଉପରେ ଶିକ୍ଷା ଦେଇଛି ପୋଲିସ । ଖାଲି ସେତିକି ନୁହେଁ, ଆଜି ଟ୍ୱିନସିଟିରେ ଦୁଇ ହଜାରରୁ ଅଧିକ ଗାଡି ଉଠାଇନେଇଛି ପୋଲିସ ।

ସକାଳୁ ସକାଳୁ ଛକରୁ ଛକ ପଇଁତରା ମାରୁଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ ଅମାନିଆ ବାଇକ୍ ଚାଳକ । କିଏ ପରିବା ଆଣିବାକୁ ବାଇକରେ ଯାଇଥିଲା ତ ଆଉ କିଏ ଗାଡି ନେଇ ବଜାର ଯାଇଥିଲା ସଉଦା ଆଣିବାକୁ । ସଟଡାଉନ ହଟୁ ହଟୁ ଗାଡି ଧରି ରାଜଧାନୀ ରାସ୍ତାକୁ ବାହାରି ଆସିଥିଲେ ଶହ ଶହ ରାଜଧାନୀ ବାସିନ୍ଦା ।

ପ୍ରଶାସନ ବାରମ୍ବାର ମନା କରିଥିଲା । ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯିବା ବେଳେ ଗାଡି ନଆଣିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ସଫା ସଫା କୁହାଯାଇଥିଲା ଯିଏ ଗାଡି ଆଣିବ, ସିଜ୍ କରାଯିବ । ପାସ୍ ଥିଲେ ମଧ୍ୟ ଗାଡି ନଆଣିବାକୁ ନିର୍ଦେଶ ଦିଆଯାଇଥିଲା । ହେଲେ ଖାତିର କରୁଛି କିଏ । ଏଭଳି କିଛି ବାଇକ ଚାଳକଙ୍କୁ ରାସ୍ତା ଉପରେ ଶିକ୍ଷା ଦେଇଛି ପୋଲିସ । ଖାଲି ସେତିକି ନୁହେଁ, ଜରୁରୀ କାମ ନଥାଇ ଘରୁ ବାହାରିଥିବା ଲୋକଙ୍କ ଗାଡି ଉଠାଇ ନେଇଛିି ପୋଲିସ ।

ସଟଡାଉନ୍ ହଟିଲା ହେଲେ ଲକଡାଉନ୍ ଜାରି ରହିଛି । ତଥାପି ନିୟମ ମାନିନାହାଁନ୍ତି ଭଦ୍ରକ ବାସିନ୍ଦା । ୪୮ ଘଂଟାର କର୍ଫ୍ୟୁ ପରେ ବଜାରରେ ଦେଖିବାକୁ ମିଳିଛି ଲୋକଙ୍କ ହାଉଜାଉ ଭିଡ । ସକାଳୁ ସକାଳୁ ବାଇକ୍ ନେଇ ବଜାରକୁ ପନିପରିବା କିଣିବାକୁ ବାହାରିଥିଲେ ଶହ ଶହ ଲୋକ । ଆଉ କିଣାକିଣି ବେଳେ ଲୋକଙ୍କ ଭିତରେ ନଥିଲା ସାମାଜିକ ଦୂରତା । ସେପଟେ ଦୋକାନରୁ ଦୋକାନ ବୁଲି ଗ୍ରାହକଙ୍କ ଭିତରେ ସାମାଜିକ ଦୂରତା ଅଛି କି ନାହିଁ ତାହା ପରଖିଥିଲା ପୋଲିସ । ଭୁବନେଶ୍ୱର, କଟକ ଓ ଭଦ୍ରକକୁ ବାଦ ଦେଲେ ରାଜ୍ୟର ବିଭିନ୍ନ ସହରରେ ଲକଡାଉନ୍ ବେଳେ ଗାଡି ଚଳାଚଳ ଉପରେ କଡା କଟକଣା ଜାରି କରାଯାଇଛି । ଆଉ ନିୟମ ଉଲ୍ଲଂଘନ କାରୀଙ୍କ ଗାଡି ସିଜ୍ କରିଛି ପୋଲିସ ।