ପଦାରେ ପଡିଲା ପୁଲିସ ଓ ଅପରାଧୀଙ୍କ ମଧୁର ସମ୍ପର୍କ । ମହଙ୍ଗା ପଡ଼ିଲା ଅଭିଯୁକ୍ତଙ୍କୁ ଅହେତୁକ ଅନୁକମ୍ପା, ନିଲମ୍ବିତ ହେଲେ ବାଳିଆପାଳ ଥାନାର ପୂର୍ବତନ ଇନ୍ସପେକ୍ଟର । 

541

କନକ ବ୍ୟୁରୋ : ପୋଲିସକୁ ଖୋଜୁଛି ପୋଲିସ । ଇନ୍ସପେକ୍ଟର ବିକ୍ରମ ଜେନା ଓ ରଣଜିତ କୁମାର ସାହୁଙ୍କୁ ଖୋଜୁଛି ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ । ଏହି ଦୁଇ ଜଣ, ଖଣି ମାଫିଆ ଓ ନିଶା ବେପାରୀଙ୍କ ସହ ସଂପର୍କ ରଖିଥିବା ଏସଟିଏଫ ତାର ତଦନ୍ତରୁ ଜାଣିବାକୁ ପାଇଛି । ଏହାରି ଭିତରେ ଫେରାର ଥିବା ଦୁଇ ଇନ୍ସପେକ୍ଟରଙ୍କୁ ଆଜି ଡିଜି ନିଲମ୍ବନ କରିଛନ୍ତି  । ସେପଟେ ଆଇନ ଅନୁଯାୟୀ ଫେରାର ଥିବା ଅଫିସରଙ୍କ ସମ୍ପତି ବାଜ୍ୟାପ୍ତ କରିହେବ ବୋଲି କହିଛନ୍ତି ଆଇନଜୀବୀ ।

ଯେଉଁ ପୋଲିସ ଦିନେ ଅପରାଧୀଙ୍କୁ ହାତକଡି ପିନ୍ଧାଉଥିଲା ସେହି ପୁଲିସକୁ ଏବେ ଗଳିକନ୍ଦିରେ ଖୋଜିବା ଆରମ୍ଭ କରିଛି ଏସଟିଏଫ । ଟାର୍ଗେଟରେ ରହିଛନ୍ତି ୨ ଜଣ ଇନ୍ସପେକ୍ଟର ବିକ୍ରମ ଜେନା ଓ ରଣଜିତ କୁମାର ସାହୁ । ଏମାନଙ୍କ ନାଁରେ ଯେଉଁ ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ରହିଛି ତାହା ଶୁଣିଲେ ଆପଣ ବି ଚକିତ ହୋଇଯିବେ । ଏହି ୨ ଅଫିସର ସିଧାସଳଖ ଖଣି ମାଫିଆ ଓ ନିଶା ବେପାରୀଙ୍କ ସହ ସମ୍ପର୍କ ରଖିଥିବା ଏସଟିଏଫ ତାର ତଦନ୍ତରୁ ଜାଣିବାକୁ ପାଇଛି । ତେବେ ପ୍ରଥମ ପର୍ଯ୍ୟାୟର ଜେରା ପରେ, ବିକ୍ରମ ଆଉ ଧରା ଛୁଆଁ ଦେଉ ନଥିବା ବେଳେ, ରଣଜିତଙ୍କ ସହ ଆଉ ଯୋଗାଯୋଗ ହୋଇପାରୁନି । ଏହି ୨ ଅଫିସର ମନଇଛା ଛୁଟିରେ ରହିବା ଏବଂ ଏମାନଙ୍କ ସହ ପୁଲିସ ଯୋଗାଯୋଗ କରି ପାରୁ ନଥିବାରୁ ଦୁଇ ଜଣଙ୍କୁ ଡିଜି ନିଲମ୍ବନ କରିଛନ୍ତି  ।

ମିଳିଥିବା ଖବର ଅନୁସାରେ ଏହି ୨ ଅଫିସର ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଫେରାର ଥିବା ୨ ଅଫିସର ରଣଜିତ ଏବଂ ବିକ୍ରମ, ଖୋର୍ଦ୍ଧା ଟାଉନ ଥାନା ଏବଂ ସଦର ଥାନାରେ ଇନ୍ସପେକ୍ଟର ଥିବା ବେଳେ, ଖଣି ମାଫିଆଙ୍କୁ ଖଣି ଲୁଟ୍ କରିବା ପାଇଁ ସହଯୋଗ କରିଥିବା ଏସଟିଏଫ ଜାଣିବାକୁ ପାଇଛି । ତେବେ ଆଇନ ଅନୁଯାୟୀ ଫେରାର ଥିବା ଅଫିସରଙ୍କ ସମ୍ପତି ବାଜ୍ୟାପ୍ତ କରିହେବ ବୋଲି ଆଇନଜୀବୀ କହିଛନ୍ତି ।

ପୋଲିସ ବର୍ଦ୍ଦିରେ ଲାଗିଛି ଦୁର୍ନୀତିର କଳାଛିଟା । କ୍ଷମତାର ଅପବ୍ୟବହାର କରି ଅପରାଧୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ଆଉ ଏହି ଅଭିଯୋଗରେ ପୁଲିସ ଏହି ୨ ପୁଲିସ ଅଫିସରଙ୍କୁ ଖୋଜୁଛି । ଯେଉଁମାନେ ଏବେ ଫେରାର ।