‘ଡାର୍ଟିି ଡାଡି’ ହାତରେ ପଡିଲା କଡ଼ି ! ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର୍ ହୋମ୍ ମୁଖ୍ୟ ଫୟାଜ ରହେମାନ ସହ ୩ ଗିରଫ ।

144

କନକ ବ୍ୟୁରୋ : ଶେଷରେ ସିଲ୍ ହୋଇଛି ସେଲଟର ହୋମ୍ । ଢେଙ୍କାନାଳର ବେଲଟିଗିରିରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆକୁ ବନ୍ଦ କରିବା ସହ ମୁଖ୍ୟ ଖଳନାୟକ ଫୟାଜ ରେହମାନଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ସହ ସେଲଟର ହୋମର ପରିଚାଳନା ଦାୟିତ୍ୱରେ ଥିବା ସିମାଂଚଳ ନାୟକ ଏବଂ ଉଦିତ୍ ଲାମାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏହି ଦୁଇ ବ୍ୟକ୍ତି ମଧ୍ୟ ନାବାଳିକାଙ୍କୁ ଯୌନ ଶୋଷଣ କରୁଥିବାର ପୋଲିସ ପ୍ରମାଣ ପାଇଛି । ସେଲଟର ହୋମରେ ରହୁଥିବା ୮୩ ଜଣ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସେଲଟର ହୋମକୁ ପଠାଇଦିଆଯାଇଛି ।

ଫୟାଜ ରେହମାନ୍ । ଅଭିଯୋଗ- ଯୌନ କେଳେଙ୍କାରୀ । ଧାରା – ୩୫୪-ଏ ଆଇପିସି ଅର୍ଥାତ୍ ଯୌନ ନିର୍ଯାତନା । ୧୦ ପକସୋ ଆକ୍ଟ ଅର୍ଥାତ ଶିଶୁଙ୍କୁ ଯୌନ ନିର୍ଯାତନା । ଗରିବ ଓ ଅସହାୟ ଝିଅଙ୍କୁ ସହାୟତା କରିବାର ମୁଖା ପିନ୍ଧି ସେମାନଙ୍କୁ ଯୌନ ଶୋଷଣ କରୁଥିବା ଏହି ଭଦ୍ରମୁଖା ଖଳନାୟକକୁ ଶେଷରେ ଗିରଫ କରିଛି ପୋଲିସ । ଗୁଡ୍ ନ୍ୟୁଜ୍ ଇଣ୍ଡିଆ ନାମକ ବେସରକାରୀ ସଂସ୍ଥା ଖୋଲି ଆଶ୍ରୟ ଦେବାକୁ ବାହାନା କରିଥିବା ଫୟାଜ ରେହମାନକୁ ଆଇପିସିର ଧାରା ୩୫୪-ଏ ଓ ୧୦ ପକସୋ ଆକ୍ଟରେ ଗିରଫ କରିଛି ପୋଲିସ । 

କନକ ନ୍ୟୁଜରେ ଢେଙ୍କାନାଳ ସେଲଟର ହୋମରେ ଯୌନ ନିର୍ଯାତନା ଘଟଣାକୁ ପ୍ରଥମେ ରିପୋର୍ଟ ପ୍ରସାରଣ ହେବା ପରେ ସାଂଘାତିକ ସତ ସାମନାକୁ ଆସିଥିଲା । ଫୟାଜ ରେହମାନ ସହ ସେଲଟର ହୋମର ପ୍ରୋଜେକ୍ଟ ଡିରେକ୍ଟର ସୀମାଂଚଳ ନାୟକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଫୟାଜ ରେହମାନ ବିରୋଧରେ ଅଭିଯୋଗ ଆଣି ନିଜେ ଖସି ଯିବାକୁ ଚେଷ୍ଟା କରୁଥିବା ଏହି ବ୍ୟକ୍ତି ମଧ୍ୟ ସେଲଟର ହୋମ୍ରେ ଆଶ୍ରୟ ନେଇଥିବା ନାବାଳିକାଙ୍କୁ ଯୌନ ଶୋଷଣ କରୁଥିବାର ପ୍ରମାଣ ପାଇଛି ପୋଲିସ । ସେଲଟର ହୋମକୁ ଯିଏ ଆସୁଥିଲା, ସିଏ ବି ଏହି ଅନୈତିକ କାମରେ ଲିପ୍ତ ହୋଇଯାଉଥିଲା । ମାତ୍ର ଦୁଇ ମାସ ତଳେ ସହ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିବା ଉଦିତ ଲିମା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଯୌନ ଶୋଷଣର ଅଭିଯୋଗ ଆସିଛି । 

ଢେଙ୍କାନାଳର ବେଲଟିଗିରି ଠାରେ ଚାଲିଥିବା ଏହି ସେଲଟର ହୋମରେ କଣ କଣ ଘଟୁଥିଲା ତାହା ସମସ୍ତଙ୍କୁ ଚମକାଇ ଦେଇଛି । ରବିବାର ସକାଳୁ ସକାଳୁ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ସେଲଟର ହୋମ୍ରେ ପହଁଚିଯାଇଥିଲେ । ଏବଂ ଗୋଟି ଗୋଟି କରି ରୁମ୍ ସିଲ୍ କରିଦେଇଥିଲେ । ସେଲଟର ହୋମରେ ଥିବା ୪୭ ଜଣ ଝିଅ, ୩୬ଜଣ ପୁଅ ଓ କର୍ମଚାରୀଙ୍କୁ ଦୟାନନ୍ଦ ସର୍ଭିସ ମିଶନ ଏବଂ ଅନ୍ୟ ସେଲଟର ହୋମକୁ ପଠାଯାଇଛି । ସେପଟେ ବେଆଇନ୍ ସେଲଟର ହୋମ୍ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ପୁରୀ ଓ ଗଜପତି ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆର ଶାଖାରେ ରେଡ୍ କରାଯାଇଛି ।