କନକ ବ୍ୟୁରୋ : ଶୁକ୍ରବାର ପାହାନ୍ତିଆ ପ୍ରହରରେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଉତ୍ତରାଖଣ୍ଡରୁ ଦିଲ୍ଲୀକୁ ଫେରୁଥିବା ବେଳେ ଋଷଭଙ୍କ ଗାଡି ଡିଭାଇଡରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଋଷଭଙ୍କ ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଋଷଭ । ଜୀବନ ସିନା ବଞ୍ଚି ଯାଇଥିଲା କିନ୍ତୁ ଋଷଭ ଗୁରୁତର ଭାବେ ଆହତ ହୋଇଛନ୍ତି । ଋଷଭଙ୍କ ହାତ, ଗୋଡ, ପିଠି ଓ ମୁଣ୍ଡରେ ଆଘାତ ଲାଗିଛି । ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଥିବା ଋଷଭଙ୍କ ଜୀବନ ପ୍ରତି ବିପଦ ନଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ବେଳେ ହରିଦ୍ୱାର ଏସଏସପି ଏହି ଦୁର୍ଘଟଣା ବାବଦରେ ପୂରା ସୂଚନା ଦେଇଛନ୍ତି ।

Advertisment

ହରିୟାଣାର ଏସଏସପି ଅଜୟ ସିଂଙ୍କ କହିବା ଅନୁଯାୟୀ, କାର ଚଲାଉଥିବା ବେଳେ ଆଖି ଲାଗିଯିବା କାରଣରୁ ଋଷଭଙ୍କ ଗାଡି ଡିଭାଇଡରକୁ ଧକ୍କା ଦେଇଥିଲା । ଆଉ ଡିଭାଇଡରରେ ପିଟି ହେବା କାରଣରୁ କାରରେ ଆପଣାଛାଏଁ ନିଆଁ ଲାଗି ଯାଇଥିଲା । ତେବେ ରାସ୍ତାରେ ଯାଉଥିବା ବସ୍ ଡ୍ରାଇଭର ଗାଡି ଅଟକାଇ ଋଷଭଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ ଏବଂ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ । ତେବେ ହସ୍ପିଟାଲରେ ପହଞ୍ଚିବା ବେଳକୁ ପନ୍ତ ହୋସରେ ଥିଲେ ଏବଂ ନିଜ ମା’ଙ୍କୁ ସରପ୍ରାଇଜ ଦେବାକୁ ଘରକୁ ଯାଉଥିଲେ ବୋଲି ଋଷଭ କହିଥିଲେ ।

ଡାକ୍ତରଙ୍କ କହିବା ଅନୁଯାୟୀ, ଋଷଭଙ୍କ ଶରୀରରେ ଏଥିପାଇଁ ଆଘାତ ଲାଗିଥିଲା କାରଣ କାରର କାଚ୍ ଭାଙ୍ଗି ଋଷଭ ବାହାରକୁ ଆସିଥିଲେ । ତେବେ ନିଆଁ ଲାଗିବା କାରଣରୁ ଋଷଭଙ୍କର କୌଣସି କ୍ଷତ ହୋଇନାହିଁ । ତେବେ ଋଷଭଙ୍କୁ ଏବେ ହସ୍ପିଟାଲରେ ଡାକ୍ତରଙ୍କ ନୀରିକ୍ଷଣରେ ରଖା ଯାଇଛି ।