ହଜିଲା ସୁନା ଫେରାଇଲା ପୋଲିସ । ୩ ବର୍ଷ ପରେ ସୁନା ପାଇ ଖୁସି ପ୍ରକଟ କଲେ ଇନ୍ଦୁମତି, କହିଲେ ପୋଲିସ କରିଛି ପୁଅର କର୍ତବ୍ୟ

97

କନକ ବ୍ୟୁରୋ : ଆଜି ମାତୃଦିବସ । ମାଆଙ୍କ ପାଇଁ ଦିନକୁ ସ୍ୱତନ୍ତ୍ର କରିବାକୁ ପିଲା ଲାଗିପଡନ୍ତି । ହେଲେ ଆଜିର ଦିନରେ ପୋଲିସ ପକ୍ଷରୁ ମାଆକୁ ମିଳିଛି ତାର ହଜିଲା ଜିନିଷ । ଜୟପୁର ଟାଉନ ଥାନାରେ ଦେଖିବାକୁ ମିଳିଛି ଏହି ଘଟଣା ।

ସୂଚନା ଅନୁସାରେ ୨୦୧୯ ମସିହାରେ ସହରର କେଲା ନଗର ସାହିରେ ରହୁଥିବା ଇନ୍ଦୁମତି ସନାଙ୍କ ଘରୁ ୧୨୦ ଗ୍ରାମ ସୁନା ଚୋରି ହୋଇଥିଲା । ଘଟଣାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ହେଲେ ସମୟ ଗଡ଼ିବା ସହ ସୁନା ମଧ୍ୟ ମିଳିନଥିଲା ଇନ୍ଦୁମତିଙ୍କୁ । ଥାନା ଯେଉଁ ନୂଆ ଅଧିକାରୀ ଆସୁଥିଲେ ପରିବାର ପକ୍ଷରୁ ତାଙ୍କୁ ଜିନିଷ ପାଇଁ ଗୁହାରି କରାଯାଉଥିଲା । ହେଲେ ୨ ଦିନ ତଳେ ପୋଲିସ ପକ୍ଷରୁ ଏହି ପରିବାରକୁ ଏକ ଫୋନ କଲ ଆସିଥିଲା । ସେପଟୁ କୁହାଯାଇଥିଲା କି ଥାନାକୁ ଆସି ସୁନା ନେଇଯାଅ ।

ଏପରି ଖବର ଶୁଣିବା ପରେ ଇନ୍ଦୁମତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୁନା ନେବା ପାଇଁ ଆଜିର ଦିନରେ ଥାନାରେ ପହଂଚିଥିଲେ ଇନ୍ଦୁମତିଙ୍କ ପରିବାର । ପୋଲିସ ଅଧିକାରୀ ସଂଜୟ ମଣ୍ଡକ ଚୋରି ସୁନା ଇନ୍ଦୁମତିଙ୍କୁ ଦେଖାଇଥିଲେ । ନିଜ ଚୋରି ସୁନା ୨ଟି ହାର, ୨ଟି ମାଳି, ୩ ହଳ କାନ ଫୁଲକୁ ଚିହ୍ନିପାରିଥିଲେ ଇନ୍ଦୁମତି । ଆଉ ସୁନା ପାଇବା ପରେ ପୋଲିସ ଅଧିକାରୀ ପୁଅର କର୍ତବ୍ୟ କରିଥିବା କହିଥିଲେ ଇନ୍ଦୁମତି ।