ମମତାଙ୍କୁ ଆକ୍ରମଣ ଘଟଣାରେ ମାମଲା ରୁଜୁ କଲା ପଶ୍ଚିମବଙ୍ଗ ପୁଲିସ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେଲା ତୃଣମୂଳ କଂଗ୍ରେସ

ସେପଟେ ପୁରା ଘଟଣାର ନିରପେକ୍ଷ ଯାଂଚ ପାଇଁ ରାଜ୍ୟ ଇଲେକସନ କମିସନଙ୍କୁ ଅନୁରୋଧ କଲା ବିଜେପି

220

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ମାମଲା ରୁଜୁ କରିଛି ପୁଲିସ । ଏପଟେ ଆଜି ତୃଣମୂଳ କଂଗ୍ରେସ କର୍ମୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛନ୍ତି । ରାଜନୈତିକ ଆକ୍ରୋଶ ରଖି ମମତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଟିଏମସି ଦାବି କରିଛି । ଅନ୍ୟପଟେ ବିଜେପିକର୍ମୀ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପୁରା ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ବିଜେପି କର୍ମୀ ମମତାଙ୍କ ଉପରେ ଆକ୍ରମଣ ଘଟଣାକୁ ସନ୍ଦେହପୂର୍ଣ୍ଣ କହିବା ସହ ଭୋଟରଙ୍କ ସହାନୁଭୁତି ଗୋଟାଇବାକୁ ଏହା ସୁଚିନ୍ତିତ ରଣନୀତି ହୋଇଥାଇ ପାରେ ବୋଲି କହିଛନ୍ତି ।

ସେପଟେ, ମମତା ବାନାର୍ଜୀଙ୍କ ଉପରେ ନନ୍ଦିଗ୍ରାମରେ ଆକ୍ରମଣ ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଘଟଣାର ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିସନ । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ । ଗତକାଲି ନିର୍ବାଚନ ପ୍ରଚାର ସମୟରେ ନନ୍ଦିଗ୍ରାମର ବିରୁଲିଆ ବଜାର ନିକଟରେ କିଛି ବ୍ୟକ୍ତି ତାଙ୍କୁ ଧକ୍କା ଦେଇ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ମମତା । ଏଥିରେ ମମତାଙ୍କ ଗୋଡରେ ଆହତ ଲାଗିଥିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।

ଗତକାଲି ଆହତ ପରେ ତୁରନ୍ତ ତାଙ୍କୁ କୋଲକତା ଅଣାଯାଇଥିଲା । ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାର ଛାନଭିନ୍ କରାଯାଉଛି । ଘଟଣା ଘଟିଥିବା ସ୍ଥାନର ମିଠା ଦୋକାନୀଙ୍କୁ ପଚରା ଉଚରା କରିଛନ୍ତି ପୂର୍ବ ନନ୍ଦିଗ୍ରାମର ଡିଏମ ବିଭୁ ଗୋୟଲ । ମିଠା ଦୋକାନ ମାଲିକ ନିମାଇ ମୌତିଙ୍କ କହିବା ଅନୁସାରେ ଗତକାଲି ବିରୁଲିଆ ବଜାରରେ ମମତା ବାନାର୍ଜୀ ଗୋଟିଏ ମନ୍ଦିରର ଅନ୍ୟ ଏକ ମନ୍ଦିରକୁ ଯାଉଥିଲେ । ରାସ୍ତାର ଏକ ମୋଡ କାର ଦ୍ୱାର ଅଳ୍ପ ଖୋଲି ବାହାରକୁ ବାହାରି ମମତା ହାତ ହଲାଉଥିଲେ । ଏହି ସମୟରେ କିଛି ଲୋକ ଦୌଡିଯିବାରୁ କାରର ଡୋର ମମତାଙ୍କ ଗୋଡରେ ବାଡେଇ ହୋଇଥିବା କହିଛନ୍ତି ନିମାଇଁ ମୌତି ।

Comments are closed.