କନକ ବ୍ୟୁରୋ : ଗୁରୁଗ୍ରାମର ବହୁଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜାଙ୍କ ମିଳିଲା ମୃତଦେହ । ହତ୍ୟାର ୧୧ଦିନ ପରେ ହରିଆଣାର ଏକ କେନାଲରୁ ଦିବ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସର ସୂଚନା ଅନୁସାରେ, ଦିବ୍ୟାଙ୍କ ମୃତଦେହ ଟୋହନା କେନାଲରୁ ମିଳିଛି । ମୃତଦେହଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ ବର୍ତମାନ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ମାମଲାରେ ଅଭିଯୁକ୍ତ ବଲରାଜ ଗିଲ ଠାରୁ ଖବର ପାଇ ୧୧ ଦିନ ପରେ ଦିବ୍ୟାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।

Advertisment

ପୋଲିସର ସୂଚନା ଅନୁସାରେ –
୧୧ ଦିନ ପରେ ମିଳିଲା ମୃତଦେହ
- ହତ୍ୟା ପରେ ଦିବ୍ୟାଙ୍କ ମୃତଦେହକୁ ପଂଜାବର ଏକ କେନାଲରେ ଫୋପାଡ଼ି ଦେଇଥିଲେ ଅଭିଯୁକ୍ତ
- ପରେ ମୃତଦେହଟି ଭାସି ଭାସି ଆସି ହରିୟାଣାର ଟୋହନା କେନାଲକୁ ଲାଗିଥିଲା
- ମୃତଦେହ ଖୋଜିବା ପାଇଁ ପଂଜାବରୁ ହରିୟାଣା ପର୍ଯ୍ୟନ୍ତ ଚାଲିଥିଲା ଖୋଜାଖୋଜି
- ଏଥିରେ ଏନ୍ଡିଆରଏଫର ୨୫ ଜଣିଆ ଟିମ୍ ହୋଇଥିଲେ ନିୟୋଜିତ
- ଗୁରୁଗ୍ରାମ ପୋଲିସ ଗତ ୪ ତାରିଖରୁ ଅଭିଯୁକ୍ତ ବଲରାଜ ଗିଲକୁ ଖୋଜୁଥିଲା
- ବଲରାଜ ଗିଲ ହେଉଛି ମୁଖ୍ୟ ଅଭିଯୁକ୍ତ ଅଭିଜିତଙ୍କ ଘନିଷ୍ଠ ସହଯୋଗୀ
- ବଲରାଜ ଦିବ୍ୟାଙ୍କ ମୃତଦେହ ନାଳରେ ଫୋପାଡିଥିଲେ

ଗତ କିଛିଦିନ ତଳେ ପଶ୍ଚିମବଙ୍ଗ ଏୟାରପୋର୍ଟରୁ ବଲରାଜ ଗିଲଙ୍କୁ ଗିରଫ କରିଥିଲା ପୋଲିସ । ବଲରାଜକୁ ଧରିବା ପାଇଁ ଗୁରୁଗ୍ରାମ୍ ପୋଲିସର ୬ଟି ଟିମ୍ ନିୟୋଜିତ ହୋଇଥିଲେ । ସେମାନେ ଗତ ୪ ତାରିଖକୁ ବଲରାଜକୁ ଟ୍ରାକ୍ କରୁଥିଲେ । ଶେଷରେ ପଶ୍ଚିମବଙ୍ଗ ଏୟାରପୋର୍ଟରେ ବଲରାଜ ଥିବା ନେଇ ସୂଚନା ମିଳିଥିଲା । କୋଲକତା ପୋଲିସ ସହାୟତାରେ ବଲରାଜକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଅଭିଯୁକ୍ତ ବଲରାଜ ଗିରଫ ହେବା ପରେ ଦିବ୍ୟାଙ୍କ ମୃତଦେହ ପଂଜାବ ପଟିଆଲା କେନାଲରେ ଫିଙ୍ଗି ଦେଇଥିବା ନେଇ କହିଥିଲା ।

ଗତ ଜାନୁଆରୀ ୨ ତାରିଖରେ ହୋଟେଲ ସିଟି ପଏଂଟ୍ରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିଲା । ହୋଟେଲ ମାଲିକ ଅଭିଜିତ ଓ ତାଙ୍କ ଦୁଇ ସହଯୋଗୀଙ୍କ ଏଥିରେ ସମ୍ପୃକ୍ତି ରହିଥିଲା । ହତ୍ୟା ପରେ ଦିବ୍ୟାଙ୍କ ମୃତଦେହ ହୋଟେଲରୁ ନେଇ ପଟିଆଲା କେନାଲରେ ଫୋପାଡି ଦେଇଥିଲେ ଅଭିଜିତଙ୍କ ସହଯୋଗୀ । ଏଥିର ଅଭିଜିତଙ୍କ ବିଏମଡବ୍ଲୁ କାର ବ୍ୟବହାର କରାଯାଇଥିଲା ।

ମଡେଲ ଦିବ୍ୟା ପାହୁଜା ଥିଲେ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଗୋଲଡିଙ୍କ ପ୍ରେମିକା । ୨୦୧୬ ମସିହାରେ ଗ୍ୟାଙ୍ଗଷ୍ଟାରକୁ ଗୁରୁଗ୍ରାମ ପୋଲିସ ମୁମ୍ବାଇରେ ଏନ୍କାଉଁଟର କରି କରିଥିଲା ହତ୍ୟା । ଏହାପରେ ଦିବ୍ୟାଙ୍କୁ ଗିରଫ କରି ମୁମ୍ବାଇ ପୋଲିସ ଜିମା ଦିଆଯାଇଥିଲା । ୬ ବର୍ଷ ମୁମ୍ବାଇ ଜେଲରେ ରହିବା ପରେ ଖଲାସ ହୋଇଥିଲେ ଦିବ୍ୟା । ଏହାପରେ ଦିଲ୍ଲୀ ଆସି ସେ ପୁଣିଥରେ ଆରମ୍ଭ କରିଥିଲେ ମଡେଲିଂ । ଗତ ୬ ମାସ ତଳେ ସେ ହୋଟେଲ ସିଟି ପଏଂଟ ମାଲିକ ଅଭିଜିତ ସମ୍ପର୍କରେ ଆସିଥିଲେ । ତିନି ମାସ ହେବ ଲିଭ୍ ଇନ୍ ସମ୍ପର୍କରେ ରହୁଥିଲେ । ହେଲେ ବାରମ୍ବାର ବ୍ଲାକମେଲ କରୁଥିବାରୁ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରିଥିଲେ ଅଭିଜିତ ।