ବର୍ଷାଙ୍କ ଅଭିଯୋଗ ପରେ ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଞ୍ଚିଲା ପୋଲିସ । ପୋଲିସର ସୁରକ୍ଷା ଲୋଡିଥିଲେ ବର୍ଷା ।

2,315

କନକ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତିଙ୍କ କଟକ ଚୌଧୁରୀ ବଜାର ନନ୍ଦୀସାହିସ୍ଥିତ ବାସଭବନରେ ପହଞ୍ଚିଛି ପୁଲିସ । ବର୍ଷା ପ୍ରିୟଦର୍ଶିନୀ ୧୦୦ ନମ୍ବରକୁ ଫୋନ କରି ପୁଲିସଠାରୁ ସୁରକ୍ଷା ମାଗିବା ପରେ ପୁରୀଘାଟ ପୁଲିସ ସେଠାରେ ପହଞ୍ଚିଥିବା ସୂଚନା ମିଳିଛି । ଜଣେ ପୁରୁଷ ଓ ଜଣେ ମହିଳା ପୁଲିସ କର୍ମଚାରୀ ଅନୁଭବ ମହାନ୍ତିଙ୍କ ଘର ପହଞ୍ଚି ପଚରାଉଚରା କରୁଥିବା ସୂଚନା ରହିଛି ।

ଅଭିଯୋଗ ଅନୁସାରେ, ବର୍ଷା ପ୍ରିୟଦର୍ଶିନୀ ଖାଉଥିବା ବେଳେ ଅନୁଭବଙ୍କ ଦୁଇ ଜଣ ସହଯୋଗୀ ତାଙ୍କ କୋଠାରୀ ଭିତରକୁ ପଶି ଜବରଦସ୍ତ ଭିଡିଓ କରିବା ଫଳରେ ବର୍ଷା ଏହି ପଦକ୍ଷେପ ନେଇଥିବା ତାଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି । ବର୍ଷାଙ୍କ ଓକିଲ ଆର.କେ.ରଥଙ୍କ ସୂଚନା ଅନୁସାରେ ଅନୁଭବଙ୍କ ଘରେ ବର୍ଷାଙ୍କ ପ୍ରତି ବିପଦ ରହିଛି, ସେ ସୁରକ୍ଷିତ ନୁହନ୍ତି । ସୁଦୀପ ଓ ଖଗେନ୍ଦ୍ର ନାମକ ଦୁଇ ଜଣ ଯୁବକ ବର୍ଷାଙ୍କ କୋଠରୀ ଭିତରକୁ ଧସେଇ ପଶିଥିଲେ । ତେଣୁ ସେ ପୁଲିସର ସାହାଯ୍ୟ ଲୋଡ଼ିଛନ୍ତି । କେବଳ ୧୦୦ ନମ୍ବରକୁ ନୁହେଁ, ବର୍ଷା ନିଜ ସୁରକ୍ଷା ନେଇ ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ବର୍ଷାଙ୍କ ପ୍ରତି ବିପଦ ଥିବାରୁ ତାଙ୍କୁ ୨୪ ଘଣ୍ଟା ପୁଲିସ ସୁରକ୍ଷା ଦିଆଯାଉ ବୋଲି ତାଙ୍କ ଓକିଲ ଦାବି କରିଛନ୍ତି ।

ଉପରୋକ୍ତ ଘଟଣାର କିଛି ସମୟ ପୂର୍ବରୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ବିବାଦ ନେଇ ମୁହଁ ଖୋଲିଥିଲେ । ସେ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ‘ଜଣେ ମହିଳା ଭାବେ ମୁଁ ବର୍ଷାଙ୍କୁ ସମ୍ମାନ କରେ । ଆମ ସମସ୍ୟା ଘରେ ସମାଧାନ ହୋଇପାରିଲା ନାହିଁ, ସେଥିପାଇଁ ଆମେ କୋର୍ଟର ଆଶ୍ରୟ ନେଲୁ । ମୋର ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି । ସମସ୍ୟାର ସମାଧାନ ହୋଇଯିବ ବୋଲି ‌ମୋର ଆଶା । ଏହା ଆମର ବ୍ୟକ୍ତିଗତ ସମସ୍ୟା, ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହିଁ ।’ ଏଥିସହ ଆହୁରି କହିଛନ୍ତି ଯେ ‘ମୁଁ ବର୍ଷାଙ୍କୁ ବହୁତ ଭଲପାଏ । ସେ ଏବେ ବି ଆମ ଘ‌ରେ ଅଛନ୍ତି । ମୁଁ ମୋ ବାପାଙ୍କ ଦେହ ନେଇ ବ୍ୟସ୍ତ ଅଛି, ତାଙ୍କର ଡାଏଲିସିସ୍ ଚାଲିଛି।’