ରାଜଧାନୀରେ ରଙ୍ଗୀନ୍ ରାତିର ଠିକଣା ପାଲଟିଛି ଡାନ୍ସ ବାର୍ ! ଖୁଲମଖୁଲା ଚାଲିଥିଲା ଅସାମାଜିକ କାମ, ମ୍ୟୁଜିକ ଏବଂ ଡାନ୍ସ ପାଇଁ ନଥିଲା ଅନୁମତି ।

318

କନକ ବ୍ୟୁରୋ : ରାଜଧାନୀର ଡାନ୍ସବାର ଗୁଡିକ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ପୋଲିସ କମିଶନରଙ୍କ ସୂଚନା ଅନୁସାରେ ରେଡ୍ ହୋଇଥିବା ଡାନ୍ସବାର ଗୁଡିକରେ ଚାଲିଥିଲା ଅସାମାଜିକ କାର୍ଯ୍ୟକଳାପ । ଏହା ଉପରେ ଲଗାମ୍ ଲଗାଇବା ପାଇଁ ଅଂଟା ଭିଡିଛି କମିଶନରେଟ ପୋଲିସ । ମ୍ୟୁଜିକ ଓ ନାଚର ତାଳେ ତାଳେ ରାଜଧାନୀରେ ରଙ୍ଗିନ ହେଉଥିଲା ରାତି । ରାତି ଯେତିକି ଯେତିକି ବଢୁଥିଲା, ସେତିକି ମତୁୱାଲା ହେଉଥିଲେ ଲୋକେ । ମଦ ସାଙ୍ଗକୁ ବାରଗାର୍ଲଙ୍କ ନାଚରେ ଜମୁଥିଲା ଆସର ।

ଡାନ୍ସବାରରେ ଚାଲିଥିଲା ଅନୈତିକ କାରବାର ?

ରାଜଧାନୀରେ ଡାନ୍ସବାର ଉପରେ ଚଢଉ ପରେ ସବୁଠୁ ବଡ ଓ ସାଂଘାତିକ ଅଭିଯୋଗ ଆଣିଛି ପୋଲିସ । ପୋଲିସ କମିଶନର କହିଛନ୍ତି, ଏହି ଡାନ୍ସ ବାର ଗୁଡିକରେ ଚାଲିଥିଲା ଅସାମାଜିକ ଅର୍ଥାତ ଅନୈତିକ କାର୍ଯ୍ୟକଳାପ । ଡାନ୍ସବାରରେ ଚଢଉ ପରେ ଏହାର ସବିଶେଷ ରିପୋର୍ଟ ଏକ୍ସସାଇଜ ବିଭାଗକୁ ଦିଆଯିବ । ଏକ୍ସସାଇଜ ବିଭାଗ ବାର ଗୁଡିକ ଉପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ପୋଲିସ କମିଶନର ।

ମ୍ୟୁଜିକ ଏବଂ ଡାନ୍ସ ପାଇଁ ନଥିଲା ଅନୁମତି

ଓଡିଶା ଏକ୍ସସାଇଜ ଆକ୍ଟ ଅନୁସାରେ ମହିଳା ଏବଂ ଶିଶୁମାନଙ୍କୁ ମନୋରଂଜନ କାର୍ଯ୍ୟରେ ବ୍ୟବହାର ନକରିବାର ନିର୍ଦ୍ଦେଶ ରହିଛି । ଯାହାର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିଲା । ଏଥିସହ ଡାନ୍ସ ବାରରେ ମ୍ୟୁଜିକ ବଜାଇବା କିମ୍ବା ନୃତ୍ୟ କରିବା ପାଇଁ ଥିବା ଅନୁମତିର ପୁନଃନବୀକରଣ ହୋଇନଥିଲା । ଏହା ସତ୍ୱେ ଡାନ୍ସ ବାରରେ ଚାଲିଥିଲା ସଙ୍ଗୀତ ଓ ନାଚର ଆସର ।

ଶୁକ୍ରବାର ରାତିରେ ଭୁବନେଶ୍ୱରରେ ପ୍ରାୟ ୧୦ଟି ଡ୍ୟାନ୍ସ ବାର ଉପରେ ବଡ଼ ଧରଣର ଚଢଉ କରିଥିଲା କମିଶନରେଟ୍ ପୋଲିସ । ପ୍ରାୟ ୯୬ ଜଣ ବାରଗର୍ଲକୁ ଉଦ୍ଧାର କରିଥିଲା ପୋଲିସ । ନୈନିତାଲ, ଉତରପ୍ରଦେଶ, ହିମାଚଳ ପ୍ରଦେଶ, ପଂଜାବ, ପଶ୍ଚିମବଙ୍ଗ, ଦିଲ୍ଲୀ, ହରିୟାଣାରୁ ଆସିଥିଲେ ଏହି ବାର ଗାର୍ଲ । ପରିଚୟ ପତ୍ର ଦେଖିବା ପରେ ସେମାନଙ୍କୁ ଛାଡି ଦେଇଥିଲା ପୋଲିସ ।