ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା: ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସର ଚଢାଉ

ଝରାଫୁଲ ଏବଂ ରାକେଶ ରହିଥିବା ରୁମ ଓ ସିସିଟିଭି ଫୁଟେଜ ଓ ରେଜିଷ୍ଟରର ଯାଂଚ । ଏସଡିପିଓ, ଆଇଆଇସିଙ୍କ ସମେତ ସାଇଣ୍ଟିଫିକ ଟିମର ଚଢାଉ

540

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପୁଲିସର ଛାନଭିନ । ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ତନାଘନା ଚଲାଇଛି ପୁଲିସ । ମୃତ୍ୟୁ ପୂର୍ବରୁ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଝରାଫୁଲ ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସ ଚଢାଉ କରିଛି । ଗେଷ୍ଟ ହାଉସରେ ଝରାଫୁଲ ରହିଥିବା ରୁମ ଓ ସିସିଟିଭି ଫୁଟେଜ ଓ ରେଜିଷ୍ଟରର ଯାଂଚ କରୁଛି ପୁଲିସ । ଯାଜପୁର କୁଆଖିଆର ଏସଡିପିଓ, ଆଇଆଇସିଙ୍କ ସମେତ ସାଇଂଟିଫିକ ଟିମ୍ ଚଢାଉ କରିଛି । ଗେଷ୍ଟହାଉସ ମାଲିକଙ୍କୁ ବି ପଚରାଉଚରା କରାଯାଉଛି ।  ୨୬ ତାରିଖ ରାତିରେ ଝରାଫୁଲ ଓ ରାକେଶ ଏହି ଗେଷ୍ଟ ହାଉସରେ ରହିଥିଲେ । ୨୭ ତାରିଖ ସକାଳେ ରାକେଶ ଓ ଆଉ ଜଣେ ବନ୍ଧୁ ଝରାଫୁଲଙ୍କୁ ସ୍କୁଟରରେ ବସାଇ ନେଉଥିବାର ସିସିଟିଭି ଫୁଟେଜ ମଧ୍ୟ ମିଳିଛି ।

ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ରିମାଣ୍ଡରେ ନେବ ପୋଲିସ । ଗିରଫ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୋଲିସ । ଗତ ୨୭ ତାରିଖରେ ଝରାଫୁଲଙ୍କର ମୃତଦେହ ଯାଜପୁର କୁଆଖିଆ ନିକଟରୁ ମିଳିଥିଲା । ସିସିଟିଭି ଫୁଟେଜକୁ ଖୋଳତାଡ କରି ଗତକାଲି ରାକେଶ ସ୍ୱାଇଁ ନାମକ ଯୁବକକୁ ରାଜଧାନୀରୁ ଗିରଫ କରିଥିଲା ଏୟାରଫିଲଡ୍ ଥାନା ପୋଲିସ । ଏହା ପରେ କୁଆଖିଆ ପୋଲିସ ହାତକୁ ରାକେଶକୁ ହସ୍ତାନ୍ତର କରାଯାଇଥିଲା ।

ଗିରଫ ପରେ ରାକେଶକୁ କୋର୍ଟ ଚାଲାଣ କରି ଜେଲ ହାଜତକୁ ପଠାଇ ଦିଆଯାଇଛି । ରିମାଣ୍ଡରେ ଆଣି ରାକେଶ ସ୍ୱାଇଁଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା ରଖିଛି ଯାଜପୁର ପୋଲିସ । ଗୋଟିଏ ପରେ ଗୋଟିଏ ସିସିଟିଭି ଭିଜୁଆଲ୍ ସାମ୍ନାକୁ ଆସୁଥିବାରୁ ଏହି ଘଟଣାରେ ଆଗକୁ କଣ ସବୁ ତଥ୍ୟ ବାହାରୁଛି ତା ଉପରେ ରହିଛି ସମସ୍ତଙ୍କ ନଜର । ୨୬ ତାରିଖରେ ଝରାଫୁଲ ଆଉ ରାକେଶ ଫାଷ୍ଟଫୁଡ଼ ଖାଇବା ପାଇଁ ଆସିଥିଲେ । ଖାଇବା ବାଢିବା ମାତ୍ରେ ରାକେଶ ଝରାଙ୍କୁ ଖୁଆଇଦେଇଥିଲା । ଝରାଙ୍କ ଦେହ ଖରାପ କହି ପେଟ କାଟୁଛି କହି କାନ୍ଦି ପକାଇଥିଲେ । ଝରା ଫାଷ୍ଟଫୁଡ଼ରେ ବସିବା ମାତ୍ରେ ବାନ୍ତି କରିବା ଆରମ୍ଭ କରିଦେଇଥିଲା । ରାକେଶ ଝରାକୁ ବୁଝାବୁଝି କରାଇ ଦିନ ଗୋଟାଏ ୫ରେ ଗୋଟିଏ ସ୍କୁଟିରେ ଦୁଇଜଣ ଯାକ ପଳାଇଥିଲେ ।