ପୋଲିସ ହାଜତରେ ମୃତ ବ୍ୟକ୍ତିଙ୍କୁ ତରବରିଆ ଭାବେ ପୋଡ଼ି ଦେଇଥିଲା ପୋଲିସ । ପରିବାର ଲୋକଙ୍କୁ କରାଯାଇନଥିଲା ଶବ ହସ୍ତାନ୍ତର

3,294

କନକ ବ୍ୟୁରୋ : ପୁରୀରେ ପୋଲିସ ହାଜତରେ ମୃତ ବ୍ୟକ୍ତିଙ୍କ ଶବକୁ ତରବରିଆ ଭାବେ ପୋଡ଼ି ଦେଇଥିଲା ପୋଲିସ । ପରିବାର ଲୋକଙ୍କୁ ଶବ ହସ୍ତାନ୍ତାର କରାନଯାଇ ପୁଲିସ ଯୁବକଙ୍କ ମୃତଦେହକୁ ପୋଡିଦେଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ସେପଟେ ଡିଜିପି କହିଛନ୍ତି ଏନଚଆରସିଙ୍କ ଗାଇଡଲାଇନ ଅନୁସାରେ ତଦନ୍ତ ହେବ । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବୋଲି ଡିଜିପି କହିଛନ୍ତି ।

ସେହିପରି ହାଜତ ମୃତ୍ୟୁ ହୋଇଥିବା ନେଇ ପୁରୀ ଏସପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି । ଏନଏଚଆରସିଙ୍କ ଗାଇଡଲାଇନ ଅନୁସାରେ ବିଚାର ବିଭାଗୀୟ ତଦନ୍ତ ହେବ ବୋଲି ଏସପି କହିଛନ୍ତି । ଅତିରିକ୍ତ ଏସପି ମାମଲାର ପରିଚାଳନା କରିବେ । ଏଚଆରପିସି ଡିଏସପି ଘଟଣାର ତଦନ୍ତ କରିବେ । ହାଜତ ମୃତ୍ୟୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ମେଡିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଖିଳେଶ୍ୱର ସିଂ କହିଛନ୍ତି ।

ପୋଲିସ ଯୁବକକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଥିଲେ ମୃତ ଯୁବକର ପରିବାର ଲୋକ । ମୃତ ଯୁବକ ଜଣକ ହେଉଛନ୍ତି ଲୋକନାଥ ରୋଡ୍ ଫାଦର ସ୍କୁଲ ଅଂଚଳର କେ ରମେଶ । ବୟସ ୩୩ ବର୍ଷ । ଦୁଇ ଦିନ ତଳେ ପୋଲିସ ତାକୁ ଉଠାଇ ଆଣି ପଚରାଉଚରା କରୁଥିଲା ।

ଗତକାଲି ପୋଲିସ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ଅଭିଯୋଗ ହେବା ପରେ ପୁରୀରେ ଉତେଜନା ଦେଖାଦେଇଛି । ଘଟଣାକୁ ପ୍ରତିବାଦରେ ମେଡିକାଲ ଛକରେ ବିକ୍ଷୋଭ କରିଛନ୍ତି ପରିବାର ସମ୍ପର୍କୀୟଙ୍କ ସହ ସ୍ଥାନୀୟ ଲୋକ । ବିକ୍ଷୋଭ ପ୍ରଦର୍ଶନ ବେଳେ ସେଠାରେ ଧସ୍ତାଧସ୍ତି ହୋଇଛି ।

ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସକୁ ସାମାନ୍ୟ ବଳପ୍ରୟୋଗ କରିଛି । ବାସେଳିସାହି ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ବିକ୍ଷୋଭ ହୋଇଛି । ବିକ୍ଷୋଭ ବିଜେପି ଓ କଂଗ୍ରେସ କର୍ମୀ ବି ସାମିଲ ହୋଇଛନ୍ତି । ଗତକାଲି ପୁରୀର ବାସେଳିସାହି ଥାନାରେ ହାଜତରେ ପୁଲିସ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଇଥିଲା ।