କନକ ବ୍ୟୁରୋ: ଲୋକଙ୍କ ସରକାରରେ ଖାକିର ଦାଦାଗିରି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡାଇଦେଲା ଚାନ୍ଦବାଲି ପୋଲିସ । ଥାନା ପରିସରରେ ଜଣେ ନାବାଳିକା ଏବଂ ଦୁଇ ମହିଳାଙ୍କୁ ପୋଲିସ ବାବୁ ମାଡ ମାରୁଛନ୍ତି । ଘୋଷାଡି ଘୋଷାଡି ନେଇ ମାଡ ମାରୁଥିବା ଦେଖିବାକୁ ମିଳିଛି ।

Advertisment

ଗତକାଲି ରାତିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବଡ କଥା ହେଉଛି ପୋଲିସ ବାବୁ ଜଣଙ୍କ ଯେଉଁକଥାକୁ ନେଇ ଏଭଳି ଏକ ଆଚରଣ ଦେଖାଇଛନ୍ତି ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମହିଳା ଜଣଙ୍କ ଥାନା ବାହାରେ ପ୍ରତିବାଦ କରୁଛନ୍ତି । ତାଙ୍କ ସ୍ୱାମୀଙ୍କୁ କୌଣସି କାରଣରୁ ପୋଲିସ ଥାନାରେ ଅଟକ ରଖିଛି । ଆଉ ତାଙ୍କୁ ମୁକୁଳାଇବାକୁ ଯାଇ ପ୍ରତିବାଦ କରୁଛନ୍ତି । ଏହି ସମୟରେ ମହିଳାଙ୍କ ସାନ ଝିଅଟି ଏକ ଚପଲ ଖୋଳକୁ ଥାନା ଭିତରକୁ ଫିଙ୍ଗିଦେଇଥିଲା । ଆଉ ଏହାପରେ ମହିଳା ଏବଂ ପୋଲିସ ବାବୁଙ୍କ ମଧ୍ୟରେ ବିବାଦ ତେଜିଥିଲା । ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ପୋଲିସ ବାବୁ ଜଣଙ୍କ ତାଙ୍କ ଖାକିର ପାୱାର ଦେଖାଇଥିଲେ । ସେମାନଙ୍କୁ ମାଡ ମାରିବା ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ନ୍ୟାୟ ପାଇବା ପାଇଁ ଲୋକେ ଥାନାକୁ ଆସନ୍ତି । କିନ୍ତୁ ପୋଲିସ ଯଦି ଏଭଳି ବ୍ୟବହାର କରିବ ତାହେଲେ ଲୋକେ କାହା ଉପରେ କରିବେ ଭରସା । ସାମାନ୍ୟ କଥାକୁ ନେଇ ପୋଲିସ ବାବୁ ଜଣଙ୍କ ମାଡ ମାରି କଣ ବାର୍ତା ଦେବାକୁ ପ୍ରୟାସ କରୁଛନ୍ତି । ନିକଟରେ ପୋଲିସ ମୁଖିଆଙ୍କ ସହ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକ କରିଥିଲେ । ଏହି ସମୟରେ ପୋଲିସକୁ ଭଲ ବ୍ୟବହାର ଦେଖାଇବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଏହାପରେ ବି ପୋଲିସର ଏଭଳି ଆଚରଣ ଚିନ୍ତାଜନକ ।