ସାଇରନ୍ ବାଜୁଛି, ରାଜଧାନୀରେ ପିସିଆର୍ ଭ୍ୟାନ୍ ବୁଲୁଛି : ଅମାନିଆଙ୍କ ଠାରୁ ଜରିମାନା ବି ଆଦାୟ କରାଯାଉଛି

132

କନକ ବ୍ୟୁରୋ : କୋଭିଡ କଟକଣା ପାଳନ କରୁନଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉପରେ କଠୋର ହୋଇଛି କମିଶନରେଟ ପୋଲିସ । ଭୁବନେଶ୍ୱର ସମସ୍ତ ଜୋନର ଏସିପି ଓ ଆଇଆଇସି ପିସିଆର ଭ୍ୟାନରେ ସହର ପରିକ୍ରମା କରି ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଲକଡାଉନ ସମୟରେ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ଜରିମାନା ବି ଆଦାୟ କରାଯାଉଛି । ବର୍ତ୍ତମାନ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଇ କୌଣସି ଦୋକାନ ଖୋଲିବନି ବୋଲି ନିର୍ଦ୍ଦେଶ ରହିଛି । କିନ୍ତୁ କିଛି ଅମାନିଆ ଅନ୍ୟ ଦୋକାନ ଖୋଲା ରଖି ଚୋରା ବେପାର କରୁଥିବା ବେଳେ ପୋଲିସ ଦୋକାନ ଗୁଡିକୁ ସିଲ୍ କରି ସେମାନଙ୍କ ଠାରୁ ଫାଇନ୍ ଆଦାୟ କରିଛି ।

ଏପରିକି ମୋବାଇଲ ଦୋକାନ ସହିତ, ମଦ ଦୋକାନ ମଧ୍ୟ ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ତୁରନ୍ତ ଚଢାଉ କରି ଦୋକାନଗୁଡିକୁ ସିଲ୍ କରିଛି । ରବିବାର କୋଭିଡ ନିୟମ ଉଲଂଘନ ଯୋଗୁଁ ଦୁଇଟି ପ୍ରମୁଖ ବଜାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲା ଭୁବନେଶ୍ୱର ମହାନଗର ନିଗମ । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ୪ ନଂବର ମାଛ ବଜାରକୁ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ସିଲ୍ କରିଛି ବିଏମସି । ସେହିପରି ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ବଜାର ବାପୁଜୀନଗର ମାର୍କେଟ୍କୁ ଜୁଲାଇ ୧ ଯାଏଁ ସିଲ୍ କରାଯାଇଛି ।