ପୋଲିସ କରିବ ସାଇକେଲ ପାଟ୍ରୋଲିଂ: ଗଳି ଗଳିରେ ସାଇକେଲ ଧରି ପାଟ୍ରୋଲିଂ କରିବ ପୋଲିସ । ଭିଡକୁ ଲକ୍ଷ୍ୟ ରଖି ପୋଲିସର ନୂଆ ପ୍ରୟାସ

449

କନକ ବ୍ୟୁରୋ: ଭିଡ ଭିତରେ ବି ହେବ ପୋଲିସ ପାଟ୍ରୋଲିଂ । ଜନଗହଳିପୂର୍ଣ୍ଣ ସ୍ଥାନରେ ଏଣିକି ସାଇକେଲ ମାଧ୍ୟମରେ ପାଟ୍ରୋଲିଂ କରିବ ପୋଲିସ । ହରିୟାଣାର ଗୁରୁଗ୍ରାମ ପୋଲିସ ଏଭଳି ଏକ ନୂଆ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ ସମସ୍ତ ଥାନାକୁ ସୁରକ୍ଷିତ ଭାବେ ପାଟ୍ରୋଲିଂ କରିବାକୁ କୁହାଯାଇଛି । ସାଇକେଲରେ ପୋଲିସକର୍ମୀ ସହଜରେ ସମସ୍ତ ସ୍ଥାନକୁ ଯାଇପାରିବେ ଓ ସଚେତନାର ବାର୍ତ୍ତା ମଧ୍ୟ ଦେଇପାରିବେ । ସାଇକେଲରେ ପାଟ୍ରୋଲିଂ କରୁଥିବା ପୋଲିସଙ୍କୁ ‘ବିଟ ସାଇକେଲ’ ବୋଲି ନୂଆଁ ନାଁ ଦିଆଯାଇଛି ।

ସମସ୍ତ ସାଇକେଲରେ ଥାନାର ନାଁ ମଧ୍ୟ ଲେଖାଯାଇଛି । ଗୁରୁଗ୍ରାମ ପୁଲିସ ମୁଖ୍ୟ ମହମ୍ମଦ ଅଖିଲ ଘୋଷଣା କରି କହିଛନ୍ତି ଯେ, ପାଟ୍ରୋଲିଂରେ ଯାଉଥିବା କର୍ମଚାରୀ ସାଙ୍ଗରେ ପୁଲିସ ବାଡି, ନୋଟ ଖାତା, ଦରକାରଯୋଗ୍ୟ ଜିନିଷ ସାଙ୍ଗରେ ନେଇଯିବେ। ଗାଡି ପାଟ୍ରୋଲିଂ ସହ ସାଇକେଲ ପାଟ୍ରୋଲିଂ ଉଭୟ ଜାରି ରହିବ ।

ତେବେ ଏଥିପାଇଁ ସଦର ଥାନାକୁ ୫ଟି ସାଇକେଲ ଏବଂ ୫ଟି ହେଲମେଟ ଦିଆଯାଇଛି । ଅନ୍ୟ ଥାନାମାନଙ୍କୁ ୨ଟି ଲେଖାଏଁ ସାଇକେଲ ଓ ହେଲମେଟ ଯୋଗାଇ ଦିଆଯାଇଛି । ଏହା ଦ୍ୱାରା ପୋଲିସ ଓ ଲୋକଙ୍କ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହୋଇପାରିବ । କେତେକ ସ୍ଥାନରେ ଭିଡ ଯୋଗୁଁ ପୁଲିସ ସେଠାରେ ପାଟ୍ରୋଲିଂ କରିବା କଷ୍ଟକର ହୋଇପଡେ ସେ ସମସ୍ୟା ମଧ୍ୟ ଦୂର ହୋଇଯିବ ବୋଲି ପୋଲିସ ମୁଖ୍ୟ କହିଛନ୍ତି ।