ଗୁରୁଜୀ ମାମଲାରେ ମୁହଁ ଖୋଲିଲେ ଖୋର୍ଦ୍ଧା ଏସପି । କହିଲେ ହତ୍ୟା ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ ଟେଷ୍ଟ, ଆଉ କିଏ ଅଛନ୍ତି କି ସାମିଲ, ଚାଲିଛି ଖୋଳତାଡ ।

374

କନକ ବ୍ୟୁରୋ : ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିବା ବେଳେ ମୁହଁ ଖୋଲିଛନ୍ତି ଖୋର୍ଦ୍ଧା ଏସପି । ୨ଟି ଭିନ୍ନ ଭିନ୍ନ ଅପରାଧିକ ମାମଲା ପଛରେ ସମାନ ଅଭିଯୁକ୍ତ ଥିବା ଦର୍ଶାଇ କହିଛନ୍ତି ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇ ଆଉ କିଏ ଏଥିରେ ସାମିଲ ଅଛନ୍ତି, ତାର ଖୋଳତାଡ ହେବ । ସେପଟେ ବିବାଦୀୟ ମାନସଙ୍କ ବିରୋଧରେ ରାସ୍ତାକୁ ଓହ୍ଳାଇଛନ୍ତି ଏକାଧିକ ସଂଗଠନ । ତାଙ୍କୁ ଗିରଫ କରାନଗଲେ ଆଗକୁ ସ୍ଥିତି ଭିନ୍ନ ହେବ ବୋଲି ଚେତାଇ ଦେଇଛନ୍ତି ।

କେତେ ବାଟ ଆଗେଇଲା ବାପା ପୁଅଙ୍କୁ ନିସ୍ତୁକ ମାଡ ମାମଲା ? ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଲେ ଏସପି । ଦୁଇଟି ଭିନ୍ନ ଭିନ୍ନ ମାମଲା । ଗୋଟିଏ ହତ୍ୟା ଅନ୍ୟଟି ନିସ୍ତୁକ ମାଡ । ଉଭୟ ଘଟଣାରେ ସାମିଲ ଥିବା ବ୍ୟକ୍ତି ସମାନ । ପିଟିପିଟି ମାରିଦେବା ଓ ପରେ ଜଙ୍ଗଲ ଭିତରେ ପୋଡିଦେବା ମାମଲାରେ ୮ ଜଣ ଅଭିଯୁକ୍ତ ଥିବା ବେଳେ, ୬ ଜଣ ଗିରଫ ହୋଇଛନ୍ତି । ଆଉ ସମାନ ବ୍ୟକ୍ତିମାନେ ହିଁ ପୂର୍ବରୁ ବାପା ପୁଅଙ୍କୁ ନିର୍ମମ ଭାବେ ପିଟିଥିବାରୁ, ଏହି ମାମଲାରେ ବି ସମସ୍ତଙ୍କୁ ପକ୍ଷଭୁକ୍ତ କରାଯିବ ବୋଲି ମୁହଁ ଖୋଲିଛନ୍ତି ଖୋର୍ଦ୍ଧା ଏସପି ।

ପୁରା ମାମଲାରେ ମାନସ ଦାସ ବିବାଦୀୟ ହୋଇଥିବାରୁ, ତାଙ୍କୁ ଜେରା କରାଯିବ କି ନାହିଁ, ସେନେଇ ଏସପି ଚୁପ୍ ରହିଛନ୍ତି । ହେଲେ ଅନ୍ୟ ଅଭିଯୁକ୍ତଙ୍କର ପଲିଗ୍ରାଫ୍ ଟେଷ୍ଟ କରି ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଥ୍ୟ ହାସଲ କରାଯିବ । ଆଉ ଏସବୁ ଭିତରେ ଖୋର୍ଦ୍ଧା କୋର୍ଟରେ ମାନସ ଦାସଙ୍କୁ ଦେଖିବାକୁ ମିଳିଥିଲା । ଖାଲି ଓଡିଶାରେ ନୁହେଁ, ରାଜ୍ୟ ବାହାରେ ମଧ୍ୟ ତାଙ୍କ ସଂଗଠନ ସକ୍ରିୟ ଥିବା କହିଛନ୍ତି ମାନସ ।

ବଡ କଥା ହେଉଛି, ମାନସ ଦାସ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଥିଲେ ମଧ୍ୟ ପୁଲିସ କୌଣସି ପ୍ରମାଣ ପାଉନଥିବା କହୁଛି । ପ୍ରଶ୍ନ ଉଠୁଛି, ସ୍ଥାନୀୟ ଜନତା ଉଠାଉଥିବା ମୁଦ୍ଦା କଣ ଉଦ୍ଦେଶ୍ୟ ପ୍ରଣୋଦିତ, ନା କିଛି ଭିନ୍ନ ରହସ୍ୟ ପଛରେ ରହୁଛି ।

ଏପଟେ ମାନସ ଦାସ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗର ଫର୍ଦ୍ଦ ବଢିବା ସହ ଗିରଫଦାରୀ ଦାବି ତୀବ୍ର ହେଉଛି । ବିଭିନ୍ନ ସଂଗଠନ ପକ୍ଷରୁ ଖୋର୍ଦ୍ଧା ଏସପିଙ୍କ ଅଫିସରେ ଦାବି ପତ୍ର ଦିଆଯାଇଛି । ହିନ୍ଦୁଜାଗରଣ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।

ଏହାରି ଭିତରେ ମାନସ ଦାସର ସଂଗଠନରେ ସାମିଲ ନହେବାରୁ ଗାଁରୁ ବିତାଡିତ ହୋଇଥିବା ୬ ପରିବାରକୁ ଭେଟିଛନ୍ତି ପୋଲିସ ଟିମ୍ । ସେମାନଙ୍କ ସହ କଣ ଘଟିଥିଲା, କାହିଁକି ସେମାନେ ଗାଁ ଛାଡିବାକୁ ବାଧ୍ୟ ହୋଇଥିଲେ, ସେନେଇ ପଚାରି ବୁଝିଛନ୍ତି ଅଧିକାରୀ । ହେଲେ ଏହାକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି ବିତାଡିତ ପରିବାର ସଦସ୍ୟ ।

ମାନବବାଦୀ ସଂଗଠନ ନାଁରେ ମାନସ ଦାସର ଗୁଣ୍ଡାମାନେ କରିଥିବା ଅମାନବୀୟ କାଣ୍ଡ ଏବେ ଧୀରେ ଧୀରେ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମାନସ ଦାସଙ୍କୁ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ମାମଲାରେ ସେ ମୁହଁ ଖୋଲି କହିଛନ୍ତି, ନିର୍ବାଚନ ପୂର୍ବରୁ ଆମେ ଲୋକଙ୍କ ପାଖକୁ ଯାଉ ଆଉ ସେହି କ୍ରମରେ କିଛି ଲୋକ ମତେ ମାନସ ଦାସଙ୍କ ପାଖକୁ ନେଇ ଯାଇଥିଲେ ।