ପଡ଼ିଆରେ ଚାଲିଛି ପୋଲିସ ପାଇଁ ପ୍ରଶିକ୍ଷଣ । ସକାଳୁ ସକାଳୁ ଆସି ଟ୍ରେନିଂ ଦିଅନ୍ତି ଆଇଆଇସି । ଖାକି ବର୍ଦ୍ଦି ପିନ୍ଧି ସମାଜର ସୁରକ୍ଷା କରିବା ପାଇଁ ଯୁବପୀଢିଙ୍କୁ ଦେଉଛନ୍ତି ବାର୍ତ୍ତା ।

158

କନକ ବ୍ୟୁରୋ : ପଡ଼ିଆରେ ଚାଲିଛି କସରତ । ଶୁଭୁଛି କଦମତାଲର ଗମ୍ଭୀର ପଦଧ୍ୱନି । ଲାଗୁଛି ସତେ ଯେମିତି ସୁରକ୍ଷାବାହିନୀର କୌଣସି ବାଟାଲିୟନର ଜୋରସୋରରେ ଟ୍ରେନିଂ ଚାଲିଛି । ଏ ଘଟଣା କୌଣସି ଚଳଚ୍ଚିତ୍ରର ଦୃଶ୍ୟ ଠାରୁ କମ୍ ନୁହେଁ । କିନ୍ତୁ ବାସ୍ତବିକତା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଏଠି ପୋଲିସ ଦେଉଛନ୍ତି ପୋଲିସ ପାଇଁ ଟ୍ରେନିଂ । ଜଣେ କି ଦୁଇ ଜଣଙ୍କୁ ନୁହେଁ, ୬୦ରୁ ଅଧିକ ପିଲାଙ୍କ ଦାୟିତ୍ୱ ନେଇଛନ୍ତି ପୋଲିସ ଅଧିକାରୀ । ସକାଳ ହେଉ ହେଉ କଟକ ଜଗତପୁରର ଏହି ପଡିଆରେ ଏମିତି ଚାଲେ ଶାରୀରିକ ପ୍ରଶିକ୍ଷଣ । ଆଉ ଟ୍ରେନିଂ ଦିଅନ୍ତି କଟକ ଜଗତପୁର ଆଇଆଇସି ରବିନ୍ଦ୍ରନାଥ ମେହେର ।

ଦୌଡ, ହାଇଜମ୍ପ, ଲଙ୍ଗଜମ୍ପ, ରୋପ୍ କ୍ଲାଇମ୍ବିଙ୍ଗ ଏମିତି ଅନେକ କିଛି ପ୍ରାକ୍ଟିସ ଚାଲିଥାଏ । ପ୍ରତ୍ୟେକ ଦିନ ସକାଳୁ ୨ ଘଂଟା ସମୟ ବାହାର କରି ପିଲାମାନଙ୍କୁ ଏମିତି ପ୍ରଶିକ୍ଷଣ ଦେଉଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ ରାକେଶ ଭୂୟାଁ ଏବଂ କଟକ ଜଗତପୁର ଆଇଆଇସି ରବିନ୍ଦ୍ରନାଥ ମେହେର । ଖାଲି ଟ୍ରେନିଂ ଦେଉନାହାନ୍ତି ବରଂ ଘରଟିଏ ଭଡାରେ ନେଇ ଭଲ ଶିକ୍ଷକଙ୍କ ଜରିଆରେ ଏହି ପିଲାମାନଙ୍କୁ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ମଧ୍ୟ କରାଉଛନ୍ତି ।

ଆଗକୁ ପୋଲିସ ଏସଆଇ ପାଇଁ ଚୟନ ହେବାକୁ ଯାଉଥିବା ବେଳେ, ଏହି ପିଲାମାନେ କଠିନ ପରିଶ୍ରମ କରୁଛନ୍ତି । ଏପରିକି ଅନେକ ପିଲା ଏଠାରୁ ପ୍ରଶିକ୍ଷଣ ନେଇ ଏବେ ପୋଲିସ ବିଭାଗରେ କାର୍ଯ୍ୟରତ ମଧ୍ୟ ଅଛନ୍ତି । କେବଳ ପୋଲିସ ପାଇଁ ନୁହେଁ ଜାତୀୟସ୍ତରର ଆଥଲେଟ୍ ମିଟରେ ମଧ୍ୟ ଭାଗ ନେଇ ଏଠାକାର ପିଲାମାନେ ପୁରସ୍କୃତ ହୋଇଛନ୍ତି ।

ତେବେ ପୋଲିସ କେବଳ ଫାଇନ୍ କାଟେନି କିମ୍ବା ତାଗିଦ କରେନି, ଯୁବପୀଢିଙ୍କ ଭବିଷ୍ୟତ ଗଢିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଆଉ ଏହାର ଉଦାହରଣ ସାଜିଛନ୍ତି କଟକ ଜଗତପୁର ଆଇଆଇସି । ଆଉ ତାଙ୍କର ଏଭଳି କାର୍ଯ୍ୟ ପାଇଁ ଅଭିଭାବକ ତଥା ସ୍ଥାନୀୟ ଅଞ୍ଚଳରେ ତାଙ୍କର ଖୁବ୍ ପ୍ରଂଶସା କରାଯାଉଛି ।