କନକ ବ୍ୟୁରୋ: ଲୋକଙ୍କ ସହ ମିଶିବା, ତାଙ୍କ ସମସ୍ୟା ଜାଣିବା, ଆବଶ୍ୟକ ସ୍ଥଳେ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବା । ନାଲି ବତି ଗାଡି ବଦଳରେ ନିଜ ସାଇକେଲରେ ବୁଲି ବୁଲି ଲୋକସମ୍ପର୍କ ଯୋଡୁଛନ୍ତି ଜଣେ ଥାନା ଅଧିକାରୀ । ଆଉ ତାଙ୍କୁ ନେଇ ଢେର ଚର୍ଚ୍ଚା । ସେ ହେଉଛନ୍ତି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଧିକାରୀ ପ୍ରଶାନ୍ତ ସାମଲ ।
ରାସ୍ତା ଉପରେ କିଛି ଲୋକ କଥା ହେଉଛନ୍ତି । ଥାନା ଅଧିକାରୀ ପ୍ରଶାନ୍ତ ସାମଲ କେମିତି ରାସ୍ତାରେ ଜଣେ ସାଧାରଣ ଲୋକ ଭଳି ଆଲୋଚନା କରୁଛନ୍ତି । ପ୍ରଶାନ୍ତ ଯେବେଠାରୁ ଗାଇସିଲାଟରେ ଥାନାରେ ଯୋଗଦେଇଛନ୍ତି ସେ ଅଞ୍ଚଳର ଲୋକଙ୍କ ସହ ମିଶିବା ପାଇଁ ଏହି ଅଭିନୟ କୌଶଳକୁ ଆପଣେଇଛନ୍ତି । ନାଲି ବତି ଗାଡି ବଦଳରେ ସାଇକେଲଟିଏ ଧରି ଲୋକଙ୍କ ପାଖକୁ ଯାଉଛନ୍ତି । ଏପରିକି ଅନେକ ଲୋକ ଜାଣନ୍ତି ନାହିଁ ଯେ ସେ ଗାଇସିଲାଟ ଥାନାର ଥାନା ଅଧିକାରୀ । ରାସ୍ତାରେ ଯିବା ବେଲେ ଚାଷି, ଯୁବକ ଅବା ଛାତ୍ର ସମସ୍ତଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝନ୍ତି । କେବଳ ସେତିକି ନୁହେଁ ଗାଇସିଲାଟ ଅଂଚଳର ବିଭିନ୍ନ ସାମାଜିକ ଓ ସାସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଥାନା ଅଧିକାରୀ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥାନ୍ତି ।
ପ୍ରକୃତିର ସୁରକ୍ଷା ପାଇଁ ନିଜେ ଗଛ ଲଗାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ଗଛ ଲଗାଇବା ପାଇଁ ଉତ୍ସାହିତ କରିଆସୁଛନ୍ତି । ଏବେବି ପୋଲିସ୍ ନାଁ କହିଲେ, ସାଧାରଣ ଲୋକଟିଏର ମନରେ ଭୟ ପଶିଯାଏ । ଏଭଳି ସ୍ଥିତିରେ ଗାଇସିଲାଟ ଥାନା ଅଧିକାରୀଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ସ୍ତରରୁ ପ୍ରଶଂସା କରାଯାଉଛି ।