ଗୋଡ ଧରିଲେ, ନେହୁରା ହେଲେ । ଘରେ ଛୁଆ ଭୋକରେ ଥିବ ବୋଲି ବାରମ୍ବାର କହିଲେ, କିନ୍ତୁ ଶୁଣିଲେନି ପୋଲିସ ବାବୁ । ଚାବି ଛଡାଇ ନେଲେ,ପୁଲିସର କାର୍ଯ୍ୟଶୈଳୀକୁ ନେଇ ଉଠିଲା ପ୍ରଶ୍ନ ।

1,774

କନକ ବ୍ୟୁରୋ : ଯଦି ଆପଣଙ୍କ ବାଇକ କିମ୍ବା ସ୍କୁଟରର ଚାବି ପୋଲିସ ବାବୁ ଛଡାଇନିଅନ୍ତି ତେବେ ଆପଣଙ୍କ ଅବସ୍ଥା କଣ ହେବ ଟିକେ ଚିନ୍ତା କରନ୍ତୁ । ଠିକ୍ ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା ରାଜଧାନୀରେ । ସ୍କୁଲରୁ ନିଜ ଛୁଆକୁ ଆଣିବାକୁ ଯାଇଥିବା ଜଣେ ମହିଳା ଆଜି ଏମିତି ଏକ ହରଡଘଣାରେ ପଡିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣକ ତାଙ୍କ ଛୁଆକୁ ଭୋକ ହେଉଛି ବୋଲି କହି ପୋଲିସ ବାବୁଙ୍କ ଗୋଡ ଧରୁଛନ୍ତି । କିନ୍ତୁ ସାହେବ୍ ଢଙ୍ଗରେ ବେଖାତିର କରୁଛନ୍ତି ପୋଲିସ ବାବୁ । ଜଣେ ପାୱ୍ାରଫୁଲ ପୋଲିସ ବାବୁଙ୍କ ଆଗରେ ଜଣେ ସାଧାରଣ ମହିଳା କେତେ ଅସହାୟ ହୋଇପାରନ୍ତି ତାହା ଏହି ଭିଡିଓ ଦେଖିଲେ ଆପଣ ଅନୁମାନ କରିପାରିବେ ।

ଦେଖନ୍ତୁ ଏହି ଭିଡିଓ:

ରାଜଧାନୀର ଷ୍ଟୁଆର୍ଟ ସ୍କୁଲ ଆଗରେ ଏହି ଘଟଣା ଘଟିଛି । ସ୍କୁଟିର ଚାବି ପୋଲିସ ବାବୁଙ୍କ ହାତରେ , ଆଉ ନେହୁରା ହୋଇ ଜଣେ ମା ଚାବି ମାଗୁଛନ୍ତି । ତାଙ୍କ ଗାଡିର ଚାବିକୁ ସିଜ୍ କରି ନେଇଛନ୍ତି ପୋଲିସ ବାବୁ ।  ମହିଳା ଜଣଙ୍କ ନେହୁରା ହୋଇ କହୁଛନ୍ତି ସ୍କୁଲ ଛୁଟି ହେବା ପରେ ତାଙ୍କ ପିଲାକୁ ଜୋରରେ ଭୋକ ଲାଗୁଛି ଓ ସେ ଛାଡି ଦେବାକୁ ନେହୁରା ହେଉଛନ୍ତି । ଏପରିକି ଗୋଡ ଧରିବାକୁ ବି ପଛାଉ ନାହାଁନ୍ତି । କିନ୍ତୁ ଚାବି ପେନ୍ଥାଟିଏ ଧରି ସାହେବି ଢ଼ଙ୍ଗରେ ବେଖାତିର କରି ଚାଲୁଛନ୍ତିି ପୋଲିସ ବାବୁ । କାରଣ ସେ ଜଣେ ପୋଲିସ ବାବୁ । ଆଉ ତାଙ୍କର ବହୁତ ପାୱାର ।

ଜଣେ ମାଆର ବା କଣ ଶକ୍ତିି ପୋଲିସ ବାବୁଙ୍କ ଆଗରେ । ପରେ ଜଣାପଡିଲା ଏହି ମହିଳା ଜଣଙ୍କ ରଙ୍ଗ ସାଇଡରେ ଗାଡି ଚଳାଉଥିଲେ ସେଥିପାଇଁ ପୋଲିସ ବାବୁ ତାଙ୍କ ଚାବି ଛଡାଇ ନେଇଥିଲେ ।  ଏହି ଘଟଣା ଉପରେ ଟ୍ରାଫିକ ଡିସିପି ସାଗରିକା ନାଥ ଟୁଇଟ୍ କରି ଲେଖିଛନ୍ତି, ଅଭିଭାବକମାନେ କେମିତି ଗାଡି ଚଳାଉଛନ୍ତି ସେନେଇ ଟିକେ ସାବଧାନ ହେବା ଦରକାର । ଭୁଲ ସାଇଡରେ ଗାଡି ଚଳାଇଲେ ଦୁର୍ଘଟଣା ଘଟିପାରେ । ସେ ପ୍ରଶ୍ନ ବି କରିଛନ୍ତି ଛୋଟ ପିଲାଙ୍କ ଜୀବନର କଣ କିଛି ମୂଲ୍ୟ ନାହିଁ ।

ଟ୍ରାଫିକ ଡିସିପିଙ୍କ ଯୁକ୍ତି ବି ଠିକ୍ । ଯଦି ଦୁର୍ଘଟଣା ଘଟିଥାନ୍ତା ତେବେ କିଏ ଦାୟୀ ହୋଇଥାନ୍ତା  । କିନ୍ତୁ ସତରେ କଣ ମହିଳା ଜଣଙ୍କ ଭୁଲ ଦିଗରେ ଗାଡି ଚଳାଉଥିଲେ? ନା ଏହା ଥିଲା ପୋଲିସ ବାବୁଙ୍କ ଦବଙ୍ଗ ଗିରି । ଏକଥା ମଧ୍ୟ ଟ୍ରାଫିକ ଡିସିପି ଅନୁସନ୍ଧାନ କରିପାରିବେ ।  କୁହାଯାଏ ଆଇନର ଆଖି ନଥାଏ । ଆଉ ପୋଲିସ ବାବୁମାନେ ଆଇନର ରକ୍ଷକ । ତାଙ୍କ ଆଗରେ ଜଣେ ସାଧାରଣ ମହିଳାଙ୍କ ଛୁଆର ଭୋକ କେତେ ଗୁରୁତ୍ୱ ରଖେ ତାହା ଜଳ ଜଳ କରି ଦେଖାଯାଉଛି । ତେଣୁ କୁହାଯାଏ ଆଇନକୁ ଜଗିବା ସହ ଟିକେ ହୃଦୟ ରଖିଲେ ଭଲ ହୁଅନ୍ତା ।