ଏବେ ଆଳୁ ଓ ପିଆଜ ବିକ୍ରି କରିବେ ବିହାର ପୋଲିସ, ସରକାରଙ୍କ ଖାତାକୁ ଯିବ ଟଙ୍କା

216

କନକ ବ୍ୟୁରୋ : ବିହାରରେ ଲାଗୁ ହୋଇଥିବା ମଦ ବ୍ୟାନ ଆଇନକୁ ନେଇ ବିହାର ପୋଲିସର କାର୍ଯ୍ୟଭାର ବଢିବାରେ ଲାଗିଛି । ମଦ ମାଫିଆଙ୍କୁ ଧରିବା ସହ ଏବେ ବିହାର ପୋଲିସ ଉପରେ ଆଳୁ, ପିଆଜ, ରଶୁଣ, କୁକୁଡା ଚିଆଁ, ଅଣ୍ଡା ଓ ରାସନ ସାମଗ୍ରୀ ବିକ୍ରି କରିବା ଭଳି କାର୍ଯ୍ୟ ଲଦିଦିଆ ଯାଇଛି । ଏନେଇ ପ୍ରଥମେ ବିହାର ଅରବଲ ଜିଲ୍ଲାର କଲେର ଥାନାରେ ନିଯୁକ୍ତ ପୋଲିସ କର୍ମୀମାନେ କରିବାକୁ ଯାଉଛନ୍ତି । ଏଠାରେ ଚୋରାମଦ ଚାଲାଣ ହେଉଥିବା ଗାଡି ଜବତ ବେଳେ ଗାଡିରୁ ମିଳୁଥିବା ସମସ୍ତ ସାମଗ୍ରୀ (ମଦ ବ୍ୟତୀତ) ବିକ୍ରି କରିବାକୁ ପୋଲିସକୁ ଜିଲ୍ଲା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ସାମଗ୍ରୀ ବିକ୍ରିରୁ ଯେଉଁ ଅର୍ଥ ମିଳିବ ତାହା ସରକାରୀ ଖାତାକୁ ଯିବ ବୋଲି ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି ।

କହିରଖୁ କି କିଛିଦିନ ତଳେ କଲେର ଥାନା ପୋଲିସ ଦୁଇଟି ବଡ ଟ୍ରକରେ ଆଳୁ ବୋଝେଇ ହୋଇଯାଉଥିବା ଗାଡିକୁ ଜବତ କରିଥିଲା । ହେଲେ ଗାଡି ଦୁଇଟିରେ ଆଳୁ ସହ ଚୋରାରେ ମଦ ଚାଲାଣ ହେଉଥିଲା । ଏହି ଗାଡିରୁ ମଦ ବୋତଲ ସହ ୧୦୦ କୁଇଣ୍ଟାଲ ଆଳୁ ଜବତ ହୋଇଥିଲା । ଏହି ଆଳୁ ପଚିଯିବା ଆଗରୁ ଏହାକୁ ନିଲାମ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା ।

ଜବତ ହୋଇଥିବା ଆଳୁକୁ ନିଲାମୀ ମାଧ୍ୟମରେ କଲେର ଥାନା ପୋଲିସ ବିକ୍ରି କରି ମିଳିବାକୁ ଥିବା ଟଙ୍କାକୁ ସରକାରୀ ଖାତାରେ ଜମା କରିବ । ଏହା ବିହାର ପୋଲିସ ପାଇଁ ପ୍ରଥମ କାମ ହେବ ଯାହାଦ୍ୱାରା ସେ ଅପରାଧୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ଠାରୁ ଜବତ ହେଉଥିବା ସାମଗ୍ରୀକୁ ନିଜେ ବିକ୍ରି କରିବ । ସୂଚନା ଥାଉକି ଏହା ପୂର୍ବରୁ କଲେର ପୋଲିସ ପିଆଜ, କୁକୁଡା ଚିଆଁ, ଅଣ୍ଡା, ରଶୁଣ ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ଜବତ କରିଛି । ଏବେ ଏହିସବୁ ସାମଗ୍ରୀକୁ ପୋଲିସ ନିଲାମ କରିବ ।

ଏନେଇ ଅରବଲ ଏସପି ରାଜୀବ ରଞ୍ଜନ ସୂଚନା ଦେଇଛନ୍ତି କି, ପ୍ରଥମଥର ପାଇଁ ଜବତ ହେଉଥିବା ରାସନ ସାମଗ୍ରୀ ପୋଲିସ ମାଧ୍ୟମରେ ନିଲାମ କରାଯାଉଛି । ଏହି ନିଲାମୀ ପ୍ରକ୍ରିୟା ଜିଲ୍ଲା ପଦାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଉପ ମଣ୍ଡଳ ପଦାଧିକାରୀଙ୍କ ନେତୃତ୍ୱରେ କରାଯିବ ।