ଏମିତି ଚାଲିଛି ରାଜଧାନୀର ମହିଳା ଥାନା ! ରୁଜୁ ହେଉନି ଦୁଷ୍କର୍ମ ମାମଲା, ଅଭିଯୋଗକାରୀଙ୍କୁ କରାଯାଉଛି ଦୁର୍ବ୍ୟବହାର ।

48

ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି, ମହିଳାଙ୍କୁ ସୁରକ୍ଷା ଦିଅ। ମହିଳା ସଂକ୍ରାନ୍ତୀୟ ମାମଲା ତୁରନ୍ତ ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। କିନ୍ତୁ ରାଜଧାନୀର ମହିଳା ଥାନା ଚିତ୍ର ଏବେ କିଛି ଅଲଗା ବୟାନ କରୁଛି। ସ୍ୱତନ୍ତ୍ର ଭାବେ ମହିଳାଙ୍କ ଅଭିଯୋଗ ଶୁଣିବା ପାଇଁ ଥିବା ଏହି ମହିଳା ଥାନା ଏବେ ମହିଳାଙ୍କ ଅଭିଯୋଗ ଶୁଣିବାକୁ ନାରାଜ। ଏପରିକି ଦୁଷ୍କର୍ମ ଓ ଅସଦାଚରଣ ମାମଲା ନେବାକୁ ସିଧାସିଧା ମନା କରି ଦିଆଯାଉଛି। ଥାନାକୁ ଯାଉଥିବା ଅଭିଯୋଗକାରୀଙ୍କୁ ଥାନା ମୁହଁରୁ ଦୁରଦୁର ମାରମାର କହି ବିଦା କରି ଦେଉଛନ୍ତି। ନଚେତ ଥାନାରେ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଆପୋସ ସମାଧାନ କରାଇ ଦେଉଛନ୍ତି।

ଏବେ ମହିଳା ଥାନା ଉପରୁ ରାଜଧାନୀବାସୀଙ୍କ ଆସ୍ଥା ତୁଟି ଗଲାଣି। ଶେଷରେ ବାଧ୍ୟ ହୋଇ ଅନ୍ୟ ଥାନାରେ ଅଭିଯୋଗ କରୁଛନ୍ତି। ଶୁକ୍ରବାର ମଞ୍ଚେଶ୍ୱର ଓ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇଟି ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମହିଳା ଥାନାର ଅସଲ ଚିତ୍ର ପଦାକୁ ଆସିଛି। ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢ଼ି ବଢ଼ି ଚାଲିଛି। ବିଶେଷ କରି ରାଜଧାନୀରେ ଏଭଳି ଅଭିଯୋଗର ସଂଖ୍ୟା ଅଧିକ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୦୧ରେ ସ୍ୱତନ୍ତ୍ର ଭାବେ ମହିଳା ଥାନା ପ୍ରତିଷ୍ଠା କରିଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ସେହି ଦିନଠାରୁ ମହିଳାଙ୍କ ସମ୍ପର୍କିତ ସମସ୍ତ ମାମଲା, ଦୁଷ୍କର୍ମ, ଅସଦାଚରଣ ଭଳି ଅଭିଯୋଗ ମହିଳା ଥାନାରେ ରୁଜୁ ହେଲା।

କିନ୍ତୁ ଗତ ବର୍ଷଠାରୁ ମହିଳା ଥାନା ପୁଲିସ ତାର ମତିଗତି ବଦଳାଇ ଦେଇଛି। ମହିଳା ଓ ନାବାଳିକାଙ୍କ ଅଭିଯୋଗ ନ ରଖିବାକୁ ଯେମିତି ଅଘୋଷିତ ପଣ କରିଛି। ଯିଏ ଅଭିଯୋଗ କରିବାକୁ ଆସୁଛନ୍ତି, ସେମାନଙ୍କୁ କୁହାଯାଇଛି, ସ୍ଥାନୀୟ ଥାନାରେ ଅଭିଯୋଗ କର। ଏହି କାରଣରୁ ଗତ ବର୍ଷ ମହିଳା ଥାନାରେ ୯୧ଟି ମାମଲା ରୁଜୁ ହୋଇଥିଲା। ଏବର୍ଷ ଏହି ସଂଖ୍ୟା ଏବେ ୬୪କୁ କମି ଆସିଛି। ଯେତେବେଳେ କି ଆଜିର ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନାର କେସ ନମ୍ବର ୨୧୦ ଥିବା ବେଳେ ବାଲିପାଟଣା ଥାନାର କେସ ନମ୍ବର ୧୨୯ରେ ପହଞ୍ଚିଛି।

ମହିଳା ଥାନାର ଏଭଳି ମତିଗତି ଦେଖି କମିସନରେଟ ପୁଲିସର ଅନ୍ୟ ଥାନାଧିକାରୀମାନେ ମଧ୍ୟ ଆଶ୍ଚର୍ୟ୍ୟ ପ୍ରକାଶ କରୁଛନ୍ତି। ଅନେକ ଅସନ୍ତୋଷ ହେଉଥିଲେ ମଧ୍ୟ ମୁହଁ ଖୋଲୁ ନାହାନ୍ତି। ରାଜଧାନୀର ଏକ ପ୍ରମୁଖ ଥାନାର ଜଣେ ଇନ୍ସପେକ୍ଟର ନିଜ ନାମ ଗୋପନ ରଖି କହିଛନ୍ତି; ଯେଉଁ ଉଦ୍ଦେଶ୍ୟ ନେଇ ସରକାର ମହିଳା ଥାନା ପ୍ରତିଷ୍ଠା କଲେ ତାହା ପୂରଣ ହେଉ ନାହିଁ। ଇନ୍ସପେକ୍ଟର ଜଣକ ଆହୁରି କହିଛନ୍ତି, ମହିଳା ଥାନା ପୁଲିସ ମାମଲା ଗ୍ରହଣ କରୁନଥିବାରୁ ଏବେ ଅନ୍ୟ ଥାନାଗୁଡ଼ିକ ଉପରେ ଚାପ ବଢ଼ି ଚାଲିଛି। ମହିଳା ଥାନା ଇନ୍ସପେକ୍ଟର ଇମନ କଲ୍ୟାଣ ନାୟକ କହିଛନ୍ତି, ମଝିରେ ମହିଳା ଥାନାରେ କାମ ଚାପ ଅଧିକ ରହିଲା। ପାଖାପାଖି ୬୫୦ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରିବାରେ ସମସ୍ୟା ସୃଷ୍ଟି ହେଲା।

ତେଣୁ କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ଦେଶନାମା ଜାରି କରାଯାଇଥିଲା ଯେ ସ୍ଥାନୀୟ ଥାନା ମହିଳା ସଂକ୍ରାନ୍ତୀୟ ମାମଲା ମଧ୍ୟ ରୁଜୁ କରିବେ। ଏଥିପାଇଁ ଥାନାରେ ମାମଲା କମି ଯାଇଛି। ପୁଣି ଥରେ ଏବେ ମାମଲା ରୁଜୁ ଆରମ୍ଭ ହୋଇଛି। ତେବେ ଏ ସମ୍ପର୍କରେ ମହିଳା ଥାନାର ଜଣେ ଅଧିକାରୀ କହିଛନ୍ତି, ଆମେ ଯୌତୁକ ଜନିତ ମାମଲା ଆଉ ରୁଜୁ କରୁନାହୁାଁ କେବଳ ଦୁଷ୍କର୍ମ ଓ ଅସଦାଚରଣ ମାମଲା ରୁଜୁ ହେଉଛିା ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଯଦି ଏଭଳି ହେଉଥିବ, ସେ ନେଇ ଅନୁସନ୍ଧାନ କରାଯିବ। ମହିଳା ଥାନା ପୁଲିସ କେବଳ ମହିଳା ସଂକ୍ରାନ୍ତୀୟ ମାମଲା ରୁଜୁ କରିବାର ନିୟମ ରହିଛି।