କନକ ବ୍ୟୁରୋ :  କରୋନା ପାଇଁ ସୁରକ୍ଷା କର୍ମୀଙ୍କ ମାଓ ଦମନ ଗତିବିଧି କମିଛି। ଯାହାର ସୁଯୋଗ ନେଇ ମାଲକାନଗିରି ଜିଲ୍ଲାରେ ପଶିଥିଲେ ନକ୍ସଲ। ଦଲଦଲି ଘଞ୍ଚ ଜଙ୍ଗଲରେ କ୍ୟାମ୍ପ କରି ଠୁଳ ହେବା ସହ ଆଖପାଖ ଗାଁକୁ ଯାଇ ଲୋକଙ୍କୁ ଧମକ ଦେଉଥିଲେ। ସପ୍ତାହେ ହେଲା ସରକାର ବିରୋଧୀ ଆଭିମୁଖ୍ୟ ନେଇ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସକ୍ରିୟ ହୋଇଥିଲେ। ଗୁଇନ୍ଦା ସୂଚନା ମିଳିବା ପରେ ମାଲକାନଗିରି ଏସ୍‌ପିଙ୍କ ତତ୍ତ୍ବାବଧାନରେ ଦୁଇ ଦିନ ଅପରେସନ ଆରମ୍ଭ ହୋଇଥିଲା। ଏହି ଅପରେସନ ଶେଷ ହୋଇଥିବା ବେଳେ ଖସି ଯାଇଛନ୍ତି ଟପ୍ କ୍ୟାଡର ନକ୍ସଲ। ଘଟଣାସ୍ଥଳରୁ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଥିବା ଏସ୍‌ପି ଋଷିକେଶ ଖିଲାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ଗତ କିଛି ଦିନ ହେଲା ସୀମାନ୍ତ ଛତିଶଗଡ଼ରେ ହିଂସା ଘଟାଇ ୨୦ରୁ ଊର୍ଦ୍ଧ୍ବ ମାଓବାଦୀ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ଦଲଦଲି ଜଙ୍ଗଲକୁ ଚାଲି ଆସିଥିଲେ। ଏଠାରେ ଆତ୍ମଗୋପନ କରିବା ସହ ଆଖପାଖ ଗାଁକୁ ଯାଇ ଲୋକଙ୍କ ସମର୍ଥନ ହାସଲ ପାଇଁ ଉଦ୍ୟମ ଜାରି ରଖିଥିଲେ। କିଛି ସ୍ଥାନରେ ବିରୋଧର ମଧ୍ୟ ସମ୍ମୁଖୀନ ହେବାରୁ ଲୋକଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଏ ନେଇ ଗୁଇନ୍ଦା ବିଭାଗକୁ ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ମିଳିଥିଲା। ଏହାପରେ ଏସ୍‌ପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ଡିଭିଏଫ୍ ଏବଂ ଏସଓଜି ଯବାନଙ୍କ ମିଳିତ ଟିମ୍ ଦୁଇ ଦିନ ତଳେ ଜଙ୍ଗଲରେ ପଶିଥିଲେ। ସର୍ଚ୍ଚ ଅପରେସନ ସମୟରେ ମାଓ କ୍ୟାମ୍ପ ଠାବ ହୋଇଥିଲା। ତେବେ କ୍ୟାମ୍ପ ନିକଟରେ ପହଞ୍ଚିବା ବେଳକୁ ନକ୍ସଲ ଅତର୍କିତ ଆକ୍ରମଣ କରିଥିଲେ। ପୂର୍ବରୁ ଏମିତି ଆକ୍ରମଣ ପାଇଁ ପ୍ରସ୍ତୁତ ଥିବା ଯବାନ ନିଜକୁ ସୁରକ୍ଷିତ ରଖି ପାଲଟା ଜବାବ ଦେଇଥିଲେ। ଅଧଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଉଭୟପଟୁ ଗୁଳି ବିନିମୟ ହୋଇଥିଲା। ଶେଷରେ ମାଓବାଦୀ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ।