କନକ ବ୍ୟୁରୋ: ଲୁଟ୍ କରିବାରେ ସଫଳ ହେଲେ ବୋଲି ସ୍ୱାମୀଙ୍କ ସହ ମିଶି ତୀର୍ଥ କରିବାକୁ ଯାଇଥିଲେ ମନଦୀପ କୌର ଯାହାଙ୍କୁ ‘ଡାକୁ ହସିନା’ ବୋଲି ଜଣାଯାଏ । ହେଲେ ସେଠାରେ ବିତରଣ ହେଉଥିବା ୧୦ ଟଙ୍କିଆ ଚା’ କପ୍ ସେମାନଙ୍କ ପର୍ଦ୍ଦାଫାଶ କରିଥିଲା । ଅତି ନାଟକୀୟ ଢଙ୍ଗରେ ସେମାନଙ୍କୁ ଧରିଲା ପଞ୍ଜାବ ପୁଲିସ ।

Advertisment

ଏହି ପୁରା ଘଟଣାକ୍ରମ ଏକ ନାଟକୀୟ ଢଙ୍ଗରେ ଘଟିଥିଲା । ସୂଚନା ମୁତାବକ, ମନଦୀପ କୌର ଲୁଧୀୟାନା ଡେହଲୋଁର ବାସିନ୍ଦା । ତା’ର ସାକ୍ଷାତ ଯଶବିନ୍ଦର ସହ ଇନଷ୍ଟାଗ୍ରାମରେ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ପ୍ରେମରେ ବଦଳିଥିଲା ଏବଂ ଦୁହେଁ ବିବାହ ବନ୍ଧନରେ ବାନ୍ଧିି ହୋଇଥିଲେ । ସେତେବେଳେ ମନଦୀପ ନିଜକୁ ଜଣେ ଓକିଲ ଭାବେ ପରିଚୟ ଦେଇଥିଲେ । ଏହି ସମୟରେ ଯଶବିନ୍ଦର ବି କାମଧନ୍ଦା ଛାଡି ଆଉ କିଛି କାମ ଖୋଜୁୁଥିଲେ, ଯେଉଁଥିରେ ସଟକର୍ଟ ଉପାୟରେ ରୋଜଗାର କରିହେବ । ଏହାର ସୁଯୋଗ ନେଇଥିଲେ ମନଦୀପ । ସେ ଯେଉଁ କମ୍ପାନୀରେ କାମ କରୁଥିଲେ ସେହିଠାରୁ ହିଁ ଲୁଟର ଯୋଜନା ବନାଇଲେ । କମ୍ପାନୀରେ ଶୁକ୍ରବାର ସବୁଠୁ ଅଧିକ କ୍ୟାସ୍ ରହେ ବୋଲି ମନଦୀପ ଜାଣିଥିଲେ । ତେଣୁ ସ୍ୱାମୀ ଓ ଅନ୍ୟ କିଛି ସମ୍ପର୍କୀୟଙ୍କ ସହ ମିଶି କମ୍ପାନୀରୁ ୮ କୋଟି ୪୯ ଲକ୍ଷ ଟଙ୍କା ଲୁଟ୍ କରିବାରେ ସଫଳ ହୋଇଥିଲେ ।

ଲୁଟ୍ ପରେ ଦୁହେଁ ନେପାଳ ପଳାଇଯିବାର ଯୋଜନା କରିଥିଲେ । ହେଲେ ଏହା ପୂର୍ବରୁ ମନୋସ୍କାମନା ପୂରଣ ହୋଇଥିବାରୁ ଉତ୍ତରାଖଣ୍ଡର କିଛି ତୀର୍ଥ ସ୍ଥାନ ବୁଲିଥିଲେ । ଏହି ସମୟରେ ମନଦୀପଙ୍କର ଜଣେ ସର୍ମ୍ପକୀୟଙ୍କ ଫୋନ୍ କଲ ତାଙ୍କ ପାଇଁ କାଳ ହେଲା । ପୁଲିସ ଫୋନ୍ କଲକୁ ଟ୍ରେସିଙ୍ଗ କରି ଲୋକେସନ୍ ହେମକୁଣ୍ଡ ସାହିବ ବୋଲି ଜାଣିବାକୁ ପାଇଥିଲା ପୁଲିସ । ତୁରନ୍ତ ସେଠାରେ ପହଞ୍ଚି ଗିରଫ କରିବାକୁ ଜାଲ ବିଛାଇଥିଲା ପଞ୍ଜାବ ପୁଲିସ । ସେଠାରେ ଏତେ ତୀର୍ଥଯାତ୍ରୀଙ୍କ ମଧ୍ୟରେ ମନଦୀପ ଓ ଯଶବିନ୍ଦରଙ୍କୁ ଧରିବା ଏତେ ସହଜ ନଥିବାବେଳେ ପୁଲିସ ଗୋଟିଏ ସ୍ଥାନରେ ୧୦ ଟଙ୍କିଆ ଚା’ ବିତରଣ ଷ୍ଟଲ ଲଗାଇଲା । ସେଠାକୁ ତୀର୍ଥଯାତ୍ରୀମାନେ ଆସିଥିଲେ । ଦୁହିଁଙ୍କ ମୁହଁ ଢଙ୍କା ହୋଇଥିବାବେଳେ ଚା’ ପିଇବାବେଳେକୁ ଦୁହେଁ ମୁହଁରୁ କପଡା କାଢିଥିଲେଏବଂ ପୁଲିସ ସେମାନଙ୍କୁ ଚିହ୍ନି ଗିରଫ କରିଥିଲା । ଉଭୟଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ କରିଛି ପଞ୍ଜାବ ପୁଲିସ ।