ମଝି ନଈରେ ଚୋର-ପୁଲିସ ଛକାପଞ୍ଝା : ଦୀର୍ଘ ସମୟର କସରତ ପରେ ଚୋରକୁ ବାନ୍ଧିଲା ପୋଲିସ; ରାମ ମନ୍ଦିରରୁ ମୂର୍ତ୍ତି ସହ ପୂଜା ସାମଗ୍ରୀ କରିଥିଲା ଚୋରି

145

କନକ ବ୍ୟୁରୋ : ମଝି ନଈରେ ପୁଲିସ ଓ ଚୋର ଭିତରେ ଛକାପଞ୍ଝ‌ା। ଚୋର ପାଣି ଭିତରେ କୋଉଠି ବୁଡ଼ି କୋଉଠି ଉଠୁଥିଲା ତାହା ଜାଣିବା ମୁସ୍କିଲ ହୋଇ ପଡ଼ିଥିଲା । କେତେବେଳେ ଅତଡ଼ା କଡ଼ରେ ଲୁଚି ଯାଉଥିଲା ତ ଆଉ କେତେବେଳେ ପହଁରି ପହଁରି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଉଥିଲା । କୌଣସି ଚଳଚ୍ଚିତ୍ରର ଦୃଶ୍ୟଠାରୁ ଏଭଳି ଘଟଣା କମ୍‌ ରୋମାଞ୍ଚକର ନ ଥିଲା। ନଈ ଭିତରେ ଏଭଳି ନାଟକୁ ନେଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ନାକେଦମ ହୋଇ ପଡ଼ିଥିଲେ । ଦୀର୍ଘ ପାଞ୍ଚଘଣ୍ଟାର ଅକ୍ଳାନ୍ତ କସରତ ପରେ ଚୋରକୁ କାବୁ କରାଯାଇଥିଲା। ପଟ୍ଟାମୁଣ୍ଡାଇ ଅଞ୍ଚଳ‌ରେ ଘଟିଥିବା ଏଭଳି ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି ।

‌ଗତ ୨ତାରିଖ ବିଳମ୍ବିତ ରାତିରେ ଦାଣ୍ତିସାହିସ୍ଥିତ ରାମମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିଲା । ୩ ତାରିଖ ଦିନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ସନ୍ଦେହରେ ପୂର୍ବରୁ ଏକ ମୂର୍ତ୍ତି ଚୋରି ଘଟଣାରେ ସଂପୃକ୍ତ ଥିବା ନାହିଆଡ଼ିଆ ଗ୍ରାମର ପ୍ରଫୁଲ୍ଲ ମଳିକ ଓରଫ ଭରତକୁ ପୁଲିସ ଖୋଜିଥିଲା । ପୁଲିସ ଖୋଜୁଥିବା ଜାଣି ଭରତ ଘର ପାଖ ବ୍ରାହ୍ମଣୀ ନଦୀ କୂଳକୁ ଯାଇ ପାଣିକୁ ଡେଇଁ ପଡ଼ି ପହଁରି ପହଁରି ଆରପାରିକୁ ଖସିଯିବାକୁ ଉଦ୍ୟମ କରିଥିଲା । ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ନଦୀର ଉଭୟ ପଟକୁ ଘେରାଉ କରି ରଖିଥିଲା । ପୁଲିସଠୁ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଥିଲେ ।

ଯନ୍ତ୍ରଚାଳିତ ଡଙ୍ଗାରେ ଅଗ୍ନିଶମ କର୍ମଚାରୀମାନେ ନଈ ଭିତରେ ଭରତର ପିଛା କରିଥିଲେ । ହେଲେ, ଭରତକୁ ଧରିବାକୁ ସେମାନଙ୍କୁ କାଠିକର ପାଠ ହୋଇ ପଡ଼ିଥିଲା । ନଈ ତଳମୁହଁ ଆଡ଼କୁ ପହଁରି ଏକ ଅତଡ଼ାପାର୍ଶ୍ବରେ ଭରତ ଲୁଚି ରହିଥିଲା । ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚିବା ବେଳକୁ ଭରତ ପହଁରି ପହଁରି ପୁଣି ଗଭୀର ପାଣି ଭିତରକୁ ପଳାଉଥିଲା । ନଈ ଭିତରେ ଏଭଳି ଲୁଚକାଳି ଖେଳ ଚାଲିଥିଲା । ଶେଷକୁ ତାକୁ କାବୁ କରାଯାଇଥିଲା ।

ଭରତ ପାଖରୁ ଏକଫୁଟ ଉଚ୍ଚର ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହି ମୂର୍ତ୍ତିଗୁଡ଼ିକର ଓଜନ ପ୍ରାୟ ୧୦ କିଲୋ ହେବ । ଏହାଛଡ଼ା ଗୋଟିଏ ପିତଳ ଢାଳ, ଘଣ୍ଟି , ଦୀପ, ଥାଳି ସହ ତମ୍ବା ଥାଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ତା’ ନିକଟରୁ ଗୋଟିଏ ଗ୍ୟାସ୍‌ ସିଲିଣ୍ତର୍‌ ବି ଜବତ କରାଯାଇଛି । ଉଦ୍ଧାର ସାମଗ୍ରୀ ରାମମନ୍ଦିରର ବୋଲି ପୁଲିସ କହିଛି । ଭରତକୁ କୋର୍ଟଚାଲାଣ କରାଯିବା ସହ ମନ୍ଦିର ପରିଚାଳନା କମିଟିକୁ ଚୋରି ସାମଗ୍ରୀ ହସ୍ତାନ୍ତର କରାଯାଇଛି ।