ଧାରଣା ଦେଇଥିବା ବେଳେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ । ବରଗଡ଼ରେ ଉତ୍ତେଜନା, ପୋଲିସ-ଜନତା ମୁହାଁମୁହିଁ ।

101

କନକ ବ୍ୟୁରୋ : ଧାରଣା ଦେଉଥିବା ବେଳେ ଉତ୍ୟକ୍ତ ଲୋକଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ । ବରଗଡ଼ ଦଙ୍ଗା ଘଟଣାରେ ଗିରଫ ଯୁବକଙ୍କ ମୃତ୍ୟୁ ମାମଲାରେ ପୋଲିସର ଲାଠିଚାର୍ଜ । ଥାନାରେ ଯୁବକଙ୍କୁ ପୋଲିସ ପିଟି ମାରିଥିବା ଅଭିଯୋଗ ଆଣିଥିଲେ ସମ୍ପର୍କୀୟ । ତେବେ ନ୍ୟାୟ ଦାବିରେ ଗାନ୍ଧୀ ଛକରେ ମୃତଦେହ ରଖି ସମ୍ପର୍କୀୟ ଧାରଣା ଦେଉଥିବା ବେଳେ ଧାରଣାସ୍ଥଳରେ ଉତ୍ୟକ୍ତ ଲୋକଙ୍କ ଉପରେ ଲାଠିଚାର୍ଜ କରିଛି ପୋଲିସ ।

ତେବେ ନ୍ୟାୟ ଦାବିରେ ହସ୍ପିଟାଲ ଛାତ ଉପରକୁ ଚଢିଯାଇଥିଲେ ମୃତକଙ୍କ ସମ୍ପର୍କୀୟ । ପୋଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ଦଙ୍ଗା ଅଭିଯୋଗରେ ଅଟକ ଥିବା ଗୋବିନ୍ଦ କୁମ୍ଭାରଙ୍କ ସମ୍ପର୍କୀୟ । ଘଟଣାଟି ଘଟିଛି ବରଗଡ ଜିଲ୍ଲା ଖୋଦାପାଲିରେ । ବରଗଡ ଟାଉନ ଥାନା ତୁରା ଗାଁର ଗୋବିନ୍ଦ କୁମ୍ଭାରଙ୍କୁ ରାତି ୩ଟା ବେଳେ ପୋଲିସ ଘରୁ ଉଠାଇ ଆଣିଥିଲା । ଏହାପରେ ତାଙ୍କୁ ଥାନାରେ ରଖାଯାଇଥିଲା ।

ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଖେଦାପାଲି ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରି ମୃତକଙ୍କ ସମ୍ପର୍କୀୟ ମାନେ ଡାକ୍ତରଖାନାରେ ଭଙ୍ଗାରୁଜା କରିଥିବା ବେଳେ ଜଣେ ସମ୍ପର୍କୀୟ ଛାତ ଉପରକୁ ଚଢିଯାଇଥିଲେ । ଘଟଣାକୁ ନେଇ ଏବେ ବରଗଡ ଗାନ୍ଧୀ ଛକରେ ଉତ୍ତେଜନା ଲାଗି ରହିଛି । ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି ।