ବିରୋଧୀଙ୍କ ସ୍ୱର ଚାପିବାକୁ ପୁଲିସ ଚଳାଇଲା ଲାଠି । କେନ୍ଦୁଝରରେ ଆନ୍ଦୋଳନ ବେଳେ ବିକ୍ଷୋଭକାରୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ, ୪ ଗୁରୁତର ।

95

କନକ ବ୍ୟୁରୋ : କେନ୍ଦୁଝରରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଚାଲିଥିବା ବିଜେପିର ଆନ୍ଦୋଳନକାରୀଙ୍କ ଉପରେ ଲାଠି ଚାର୍ଜ କରିଛି ପୁଲିସ । ଏଥିରେ ଜଣେ ଆନ୍ଦୋଳନକାରୀଙ୍କ ମୁଣ୍ଡ ଫାଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରି ବିଜେପି ପ୍ରତିବାଦକୁ ଆହୁରି ତୀବ୍ର କରୁଛି । ସୋମବାର କେନ୍ଦୁଝରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଛି । ବ୍ୟାରିକେଡକୁ ଭାଙ୍ଗିବା ସହ ଏସପି ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।

ବିଜେପି କର୍ମୀ ଏସପି ଅଫିସ ଆଡକୁ ମାଡି ଆସୁଥିବାବେଳେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । କେନ୍ଦୁଝରରେ ଏସପି ଅଫିସ ଘେରାଉ କରିବାକୁ ଆସୁଥିବା ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରେ ଲାଠି ମାଡ କରିଥିଲା ପୁଲିସ । ରାସ୍ତା ଉପରେ ଆନ୍ଦୋଳନକାରୀଙ୍କୁ ଗୋଡାଇ ଗୋଡାଇ ପିଟିବା ସହ ମହିଳା ଆନ୍ଦୋଳନକାରୀଙ୍କୁ ପୁରୁଷ ପୁଲିସ କର୍ମଚାରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବିଜେପି କର୍ମୀ ପୁଲିସ କର୍ମଚାରୀଙ୍କ ଉପରକୁ ଅଣ୍ଡା ମାଡ କରିିବା ସହ ଧାରଣାରେ ବସିଥିଲେ ।

ଯାଜପୁରରେ ମଧ୍ୟ ବିଜେପି ପକ୍ଷରୁ ଥାନା ଘେରାଉ କରାଯାଇଛି । ଶତାଧିକ ବିଜେପି କର୍ମୀ ଶୋଭାଯାତ୍ରା କରି ଥାନା ପର୍ଯ୍ୟନ୍ତ ଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ କରାଯାଉ ବୋଲି ଦଳ ଦାବି କରିଛି ।

ସିବିଆଇ ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା, ଗିରଫ ଦାବିରେ ବିଜେପି ପକ୍ଷରୁ ରବିବାର ବରଗଡ଼ ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି । ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ଅଖ, ଚକ ସବୁ ବନ୍ଦ ରହିିଛି । ସେହିପରି ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକରେ ସ୍କୁଲ, କଲେଜ, ଦୋକାନ ବଜାର ସହ ସରକାରୀ ଅଫିସ ବନ୍ଦ ରହଛି । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । କିନ୍ତୁ ଏପର୍ଯ୍ୟନ୍ତ ଦିବ୍ୟଶଙ୍କରଙ୍କୁ କ୍ଲିନ୍ ଚିଟ୍ ଦେଇ ଚାଲିଛି ବିଜୁ ଜନତା ଦଳ ।