ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ପୋଲିସର ଖୋଳତାଡ। ବଲାଙ୍ଗୀର ଘରେ ପହଞ୍ଚିଲା ବୁର୍ଲା ପୋଲିସ।

128

କନକ ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ଚିନ୍ମୟୀଙ୍କ ଘରେ ପହଞ୍ଚିଛି ବୁର୍ଲା ପୋଲିସ । ବଲାଙ୍ଗୀର ସ୍ଥିତ ଘରେ ପହଞ୍ଚି ପଚରାଉଚରା କରୁଛି ପୋଲିସ । ଚିନ୍ମୟୀଙ୍କ ବାପା ଓ ମାଆଙ୍କୁ ପଚରାଉଚରା କରୁଛି ବୁର୍ଲା ପୋଲିସ । ଘଟଣାର ତଦନ୍ତ ପାଇଁ ତିନିଟି ଟିମ୍ ଗଠନ କରାଯାଇଛି । ଗତକାଲି ଗୋଟିଏ ଟିମ୍ ଭୁବନେଶ୍ୱର ଆସି ତଦନ୍ତ କରିଥିଲା । ଚିନ୍ମୟୀ ରହୁଥିବା ଭଡ଼ାଘରେ ଛାନଭିନ୍ କରିଥିଲା ପୋଲିସ । ଆଜି ପୋଲିସ ଟିମ୍ ବଲାଙ୍ଗୀର ଯାଇଥିବା ବେଳେ ଅନ୍ୟ ଏକ ଟିମ୍ ସୋନପୁର ଯିବ ବୋଲି ଜଣାପଡ଼ିଛି ।

ସେପଟେ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ପ୍ରୀତିମାନଙ୍କ ସହ ମାନସ ଟୁଡୁଙ୍କର ମଧ୍ୟ ମିଛଧରା ପରୀକ୍ଷା କରାଯାଉଛି । ଭୁବନେଶ୍ୱର ଏସଏଫଏସଏଲରେ ପହଞ୍ଚିବା ପରେ ଦୁହିଁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଉଛି । ପରୀକ୍ଷା ପାଇଁ ସମ୍ବଲପୁର ପୋଲିସର ଏକ ଟିମ୍ ୨ ଜଣଙ୍କୁ ଭୁବନେଶ୍ୱର ଆଣିଥିଲେ । ଏହା ସହ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ପଠାଇବ ପୋଲିସ । ଏହାରି ଭିତରେ ଚିନ୍ମୟୀଙ୍କ ମୃତ୍ୟୁକୁ ୪ଦିନ ବିତିଯାଇଥିଲେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଚିନ୍ମୟୀଙ୍କ ମୃତ୍ୟୁର ତଦନ୍ତ କରୁଥିବା ଟିମ୍ ଭୁବନେଶ୍ୱର ସ୍ଥିତ ତାଙ୍କ ଭଡ଼ାଘରେ ଛାନଭିନ୍ କରିଛି । ଘରୁ ତଦନ୍ତକାରୀ ଟିମକୁ ଏକ ଲାପଟପ୍ ଓ ପେନଡ୍ରାଇଭ୍ ଜବତ କରିଛି । ଏହା ସହ ଏକ ଡାଏରୀ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି । ଡାଏରୀରେ ଥିବା ହସ୍ତାକ୍ଷର ଚିନ୍ମୟୀଙ୍କର ନା ନୁହେଁ, ସେଥିପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯାଇପାରେ । ଏହି ଡାଏରୀରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭାବନା ରହିଛି । ଡାଏରୀରୁ ମୃତ୍ୟୁର ରହସ୍ୟ ଫିଟିବା ନେଇ ପୋଲିସ ଆଶା ରଖିଛି ପୋଲିସ । ଏସବୁ ଭିତରେ ଘଟଣାରେ ପ୍ରୀତିମାନଙ୍କ ଭୂମିକାକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।