କନକ ବ୍ୟୁରୋ : ପୋଲିସ ଜେରାର ଶିକାର ହେଲେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ ସୁନୀଲ । ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ମାମଲାରେ ଉଭୟଙ୍କୁ ପୋଲିସ ଜେରା କରିଛି । ବିଡାନାସୀ ସ୍ଥିତ ଘରେ ରିୟାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଜେରା ହୋଇଛି । ଚନ୍ଦ୍ରଶେଖରପୁର ଥାନାରୁ ଏହି ମାମଲା ବିଡାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି । ଏହାପରେ ତଦନ୍ତ ଆରମ୍ଭ ହୋଇଛି । ସେହିପରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ ନିଜ ଆଡୁ ଘଟଣାର ତଦନ୍ତ ଆରମ୍ଭ କରିଛି । ରିୟାଙ୍କ ଘରେ କାମ କରୁଥିବା ନାବାଳିକା ଜଣକ ଦେଢ ବର୍ଷ ହେବ କାମ କରୁଥିଲେ । ନାବାଳିକାଙ୍କ ଘର ସମ୍ୱଲପୁର । ୮ ତାରିଖ ଦିନ ନାବାଳିକା ଜଣଙ୍କ ଘରୁ କେଉଁଆଡୁ ପଳାଇଯାଇଥିଲେ । ପରେ ରିୟା ଏବଂ ତାଙ୍କ ସ୍ବାମୀ ୯ ତାରିଖରେ ବିଡାନାସୀ ଥାନାରେ ସହାୟିକା ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ । ପରେ ଚନ୍ଦ୍ରଶେଖରପୁର ଥାନାରେ ସହାୟିକା ଜଣଙ୍କ ରିୟା ଏବଂ ସୁନୀଲଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ।

Advertisment

ଏବେ ସହାୟିକା ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ଖାରଜ କରିଛନ୍ତି ଉଭୟ ପତି ପତ୍ନୀ । ଘରକୁ ଯିବେ ବୋଲି ସହାୟିକା ଜଣଙ୍କ ରିୟାଙ୍କୁ ଛୁଟି ଦେବାକୁ କହିଥିଲେ । କିନ୍ତୁ ଏଥିରେ ରାଜି ହୋଇନଥିଲେ । ପରେ ରିୟାଙ୍କ ପତି ସୁନୀଲ ବିୟର ବୋତଲରେ ବାଡେଇଥିବା ଅଭିଯୋଗ କରିଛନ୍ତି ସହାୟିକା । ତେଣୁ ସେ ଏବେ ଠିକ ଭାବେ ଚାଲିପାରୁନଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜଆଡୁ ଘଟଣାର ଗୁରୁତ୍ବକୁ ଦେଖି ୨୫ ତାରିଖ ସୁଦ୍ଧା ଏ ପ୍ରସଙ୍ଗରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ବର ଡିସିପି, ଖୋର୍ଦ୍ଦା ଡିଏଲଓ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି ଘଟଣାର ରିପୋର୍ଟ ଦେବେ ।