ସଙ୍ଗରୋଧରେ ପୁଲିସ, ବାହାରେ ମାତିଛି ଚୋର : ପିପିଲିରେ ୧୫ଦିନ ମଧ୍ୟରେ ବଢିବାରେ ଲାଗିଛି ଅପରାଧର ତାଲିକା; ଲୁଟେରାଙ୍କ କବଜାରେ ରାଜପଥ, ଲୋକେ ଆତଙ୍କିତ

118

କନକ ବ୍ୟୁରୋ : କରୋନା କାଳରେ ପିପିଲି ଅଂଚଳରେ କ୍ୱାରେଂଟାଇନରେ ପୋଲିସ । ବଢିଚାଲିଛି ରାହାଜାନୀ । ଅସୁରକ୍ଷିତ ହୋଇପଡିଛି ଜାତୀୟ ରାଜପଥ । ବର୍ତମାନ କରୋନା ସମୟରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ହେଉ କି ପିପିଲିର ଆଖପାଖ ଅଂଚଳ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧର ତାଲିକା । ରାଜରାସ୍ତାରେ ବନ୍ଧୁକ ଦେଖାଇ ଲୁଟ୍ ହେଉ କି ମାରଣାସ୍ତ୍ରରେ ହାଣି ଲୁଟ୍ । ପ୍ରତ୍ୟକ ଦିନ ଥାନାକୁ ଆସୁଛି ଅନେକ ମାମଲା । ଗତ କିଛି ଦିନ ଧରି ପିପିଲି ଅଂଚଳରେ ଏପରି ଅପରାଧ ହାର ବଢି ଚାଲିଛି । ଏହାକୁ ରୋକିବାରେ ବିଫଳ ହୋଇଛି ପିପିଲି ଥାନା ପୋଲିସ । ଥାନାର ସଂଖ୍ୟାଧିକ କର୍ମଚାରୀ ଏପରିକି ଆଇଆଇସି ଓ ଏସଡିପିଓ ଏବେ କରୋନା ଆକ୍ରାନ୍ତ ହୋଇ ଘରେ ସଂଗରୋଧରେ ରହିଛନ୍ତି । ଏହାର ସୁଯୋଗ ନେଇ ମାତିଛନ୍ତି ଅପରାଧୀ । ଗତ ୫ ତାରିଖରେ ଦାଣ୍ଡମୁକୁନ୍ଦପୁର ନିକଟରେ ଜଣେ ବ୍ୟବସାୟୀଙ୍କୁ ହାଣି ଟଙ୍କା ଓ ସୁନା ଲୁଟିନେଇଥିଲେ ଦୁବୃର୍ତ ।

ସେପ୍ଟେମ୍ୱର ୧୦ ତାରିଖରେ ବାଇପାସ୍ ଭୋଗୁଆ ବାଙ୍କ ଠାରେ ବନ୍ଧନ ବ୍ୟାଙ୍କର ମହିଳା କର୍ମଚାରୀଙ୍କ ବେକରେ କଟୁରୀ ଲଗାଇ ଟଙ୍କା ଲୁଟ୍ ହୋଇଥିଲା । ସେପ୍ଟେମ୍ୱର ୧୪ ତାରିଖରେ ଦିନ ଦିପହରେ ଡାକ୍ତରଖାନା ଛକରେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍ ଉଦ୍ୟମ ହୋଇଥିଲା । ୧୫ ତାରିଖ ରାତିରେ ମଙ୍ଗଳପୁର ପେଟ୍ରୋଲ ପମ୍ପ ନିକଟରେ ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ଅପରାଧୀ । ପିପିଲିରେ ପୋଲିସ ଏବେ କ୍ୱାରେଂଟାଇନରେ ରହିଥିବା ବେଳେ ଅପରାଧୀ ଖୁଲମଖୁଲା ପୋଲିସକୁ ଚ୍ୟାଲେଂଜ ଦେବା , ସ୍ଥାନୀୟ ଅଂଚଳରେ ଆଇନଶୃଂଖଳା ରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟିକରିଛି ।