ସୈତାନକୁ ଧରାଇ ଦେଲା ୭୦ ଘଣ୍ଟାର ସିସିଟିଭି ଚିତ୍ର । ଗୋବିନ୍ଦକୁ ଏମିତି ଧରିଥିଲା ପୋଲିସ 

289

କନକ ବ୍ୟୁରୋ : ଯେତେବେଳେ ମମିତା ନିଖୋଜ ମାମଲାର ଖୋଳତାଡ କରୁଥିଲା ପୋଲିସ୍ ଆଉ ଗୋବିନ୍ଦ ସାହୁଙ୍କୁ ହେପାଜତକୁ ନେଇଥିଲା ସେତେବେଳେ କୌଶଳ କରି ପୋଲିସ ହେପାଜତରୁ ଚମ୍ପଟ ମାରିଥିଲା ଏହି ଅଭିଯୁକ୍ତ ଗୋବିନ୍ଦ ସାହୁ । ପରେ ପୋଲିସ ଗୋବିନ୍ଦକୁ ଖୋଜିବା ପାଇଁ ଲାଗିପଡିଥିଲା । ଗୋବିନ୍ଦକୁ ଧରାଇ ଦେଲେ ୨୦ହଜାର ଟଙ୍କାର ପୁରସ୍କାର ରାଶୀ ପ୍ରଥମେ ଘୋଷଣା କରିଥିଲା ପୋଲିସ । ପରେ ଏହି ପୁରସ୍କାର ରାଶୀକୁ ବଢାଇ ୧ଲକ୍ଷ ଟଙ୍କା କରିଥିଲା ପୋଲିସ । ଅର୍ଥାତ ଗୋବିନ୍ଦକୁ ଧରାଇଦେଲେ ବା ଗୋବିନ୍ଦ କେଉଁଠି ଅଛି ତାର ସୂଚନା ଦେଲେ ୧ଲକ୍ଷ ଟଙ୍କା ମିଳିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପୋଲିସକୁ ବିଭିନ୍ନ ଦିଗରୁ ଗୋବିନ୍ଦଙ୍କ ସୂଚନା ମିଳିଥିଲା ।

ଗୋବିନ୍ଦକୁ ଧରାଇଦେଲା ସିସିଟିଭି କ୍ୟାମେରା !  ୪୦ରୁ ୪୫ କିଲୋମିଟର ଭତରେ ଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରିଥିଲା ପୋଲିସ । ପ୍ରାୟ ୭୦ ଘଣ୍ଟାରେ ସିସିଟିଭି ଦୃଶ୍ୟକୁ ଯାଞ୍ଚ କରିଥିଲେ ଏକ ଟିମ୍ । ଅନେକ ପ୍ରତ୍ୟେକ୍ଷ୍ୟ ଦର୍ଶୀ ଥିଲେ, ଯେଉଁମାନେ ପୋଲିସକୁ ଗୋବିନ୍ଦଙ୍କ ବାବଦରେ ସୂଚନା ଦେଇଥିଲେ । ଅନେକ ସାଇଣ୍ଟିଫିକ୍ ରିପୋର୍ଟ, ଗୋବିନ୍ଦର ଗତିବିଧିକୁ କ୍ରସ୍ ଚେକ୍ କରି ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ୍ ।

ସେପଟେ ଗୋବିନ୍ଦର ସାନ ଭଉଣୀ ଘର ଉପରେ ନଜର ରଖିଥିଲା ପୋଲିସ । ଯେତେବେଳେ ଗୋବିନ୍ଦ ସାନ ଭଉଣୀ ଘରକୁ ଲୁଚିବା ପାଇଁ ଯାଇଥିଲା ସେଠାରେ ସାନ ଭଉଣୀର ସାସୁଘର ଲୋକେ ଗୋବିନ୍ଦକୁ ଘରେ ଆଶ୍ରୟ ଦେଇନଥିଲେ । ଘର ବାରି ପଛପଟେ ଥିବା ଏକ ଆଖୁ କିଆରିରେ ଲୁଚିବାକୁ କହିଥିଲେ । ଆଉ ଗୋବିନ୍ଦ ଆଖୁ କିଆରି ଭିତରେ ଲୁଚିଥିଲା । ସେଠାରେ ତା’ ପାଖରେ ଖାଇବା ପିଇବା ପହଞ୍ଚାଯାଉଥିଲା । ଯାହା ଉପରେ କିଛି ସ୍ଥାନୀୟ ଲୋକଙ୍କ ନଜର ରହିଥିଲା । ଆଉ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋବିନ୍ଦକୁ ଧରିବାରେ ସଫଳ ହେଲା ପୋଲିସ । ଏବେ ଗୋବିନ୍ଦ ନିଜର ଦୋଷ ସ୍ୱୀକାର କରିବା ପରେ ଅଧିକ ପଚରାଉଚରା ପାଇଁ ରିମାଣ୍ଡ ଆବେଦନ କରିଛି ପୋଲିସ । ମମିତାଙ୍କ ହତ୍ୟା କରିଥିବା କଥା ଗୋବିନ୍ଦ ମାନିଥିଲେ ବି ପୋଲିସ ତାର ତଦନ୍ତ ଜାରି ରଖିଛି । ଏହି ମାମଲାରେ କେବଳ ଗୋବିନ୍ଦଙ୍କ ହାତ ରହିଛି ନା ଅନ୍ୟ କିଏ ଏଥିରେ ସାମିଲ ଅଛନ୍ତି ସେନେଇ ଖୋଳତାଡ ଜାରି ରହିଛି ।