ପୋଲିସ ଡିଜିଙ୍କ ବଦଳି । ସେହି ୩୦ ମିନିଟରେ କଣ ହୋଇଥିଲା, ଯାହା ବଦଳାଇଦେଲା ପୋଲିସ ମୁଖ୍ୟାଳୟର କାହାଣୀ ।

3,287

କନକ ବ୍ୟୁରୋ : ବିଜୟ କୁମାର ଶର୍ମାଙ୍କ ବଦଳିର ପ୍ରକ୍ରିୟା ଏତେ ଅସ୍ୱାଭାବିକ ଥିଲା ଯେ, ଏହି ଘଟଣା ପୁଲିସ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ମାତ୍ର ୩୦ ମିନିଟ୍ ଭିତରେ ପୁଲିସ ମୁଖ୍ୟାଳୟର କାହାଣୀ ବଦଳିଗଲା ।

ଗତକାଲି ସଂଧ୍ୟା ପରେ ପରେ ପାୱାର କରିଡରରେ ହଲଚଲ ହେବା ଆରମ୍ଭ ହୋଇଥିଲା । ସଂକେତ ମିଳିବା ଆରମ୍ଭ ହୋଇଗଲା ଯେ ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ପରିବର୍ତନ ଘଟିବାକୁ ଯାଉଛି । କିନ୍ତୁ କ’ଣ ହେବ, ତାହା କେହି ଠଉରାଇ ପାରୁନଥିଲେ । ଏହା ପରେ ପରେ ଖବର ଆସିଲା ଯେ ଅଗ୍ନିଶମ ଡିଜିଙ୍କ ବିରୋଧରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେବା ଘଟଣାରେ ଅନିୟମିତତା ପାଇଁ ଏହି ତଦନ୍ତ ଆଦେଶ ଦିଆଯାଇଥିବା ଶୁଣିବାକୁ ମିଳିଲା । ଏହା ପରେ ତଦନ୍ତ କମିଟିର ନାଁ ମଧ୍ୟ ସାମନାକୁ ଆସିଲା ।

ତିନି ଜଣିଆ ଏହି କମିଟିରେ ରହିଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ଗୃହ ସଚିବ ସଂଜୀବ ଚୋପ୍ରା । ଅଗ୍ନିଶମ ଡିଜି ବିକେ ଶର୍ମା, ପୋଲିସ ଡିଜି ମଧ୍ୟ ଥିଲେ । ତେଣୁ ଜଣାପଡିଗଲା, ପୋଲିସର ସର୍ବୋଚ୍ଚ ସ୍ତରରେ ବଡ଼ ଧରଣର ପରିବର୍ତନ ହେବାକୁ ଯାଉଛି । ଆଉ ଟାର୍ଗେଟରେ ରହିଛନ୍ତି ପୋଲିସ ମୁଖିଆ ବିକେ ଶର୍ମା । ସମସ୍ତେ ଠଉରାଇ ନେଲେ, ଯେ ଯାହା ବିରୋଧରେ ତଦନ୍ତ ହେବାକୁ ଯାଉଛି, ସେ ଆଉ ସେହି ପଦବୀରେ ରହିପାରିବେ ନାହିଁ । ଏହା ପରେ ପରେ ରାତି ପ୍ରାୟ ସାଢ଼େ ୯ଟା ବେଳକୁ ଡିଜି ପରିବର୍ତନ ନେଇ ପାୱାର କରିଡରରୁ ସୂଚନା ଆସିଲା । ଆଉ ତାଙ୍କ ସ୍ଥାନରେ ବରିଷ୍ଠ ପୋଲିସ ଅଧିକାରୀ ତଥା ହାଇଦ୍ରାବାଦ ସ୍ଥିତ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଭୟଙ୍କୁ ପୂର୍ଣ୍ଣକାଳୀନ ଡିଜି ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର ।

ବିକେ ଶର୍ମାଙ୍କ ବିରୋଧରେ ଅନିୟମିତତାର ଅଭିଯୋଗ ବୋଧହୁଏ ଏତେ ସାଂଘାତିକ ଥିଲା, ତାଙ୍କୁ ଦାୟିତ୍ୱରେ କ୍ଷଣିକ ପାଇଁ ଡିଜି ପଦରେ ରଖିବା ପାଇଁ ଚାହିଁ ନଥିଲେ ସରକାର । ଆଇପିଏସ୍ ଅଭୟ ଓଡ଼ିଶା ଫେରିବା ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରାଯାଇନଥିଲା । ତୁରନ୍ତ ଅନ୍ତରୀଣ ଡିଜି ଦାୟିତ୍ୱ ନେବାକୁ ବରିଷ୍ଠ ପୋଲିସ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।