କନକ ବ୍ୟୁରୋ: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ରହସ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ତାଙ୍କ ପରିବାର ଲୋକ ଏହି ଆତ୍ମହତ୍ୟା ପଛରେ ୩ ଜଣ ସିନିୟରଙ୍କ ହାତ ରହିଥିବା ନେଇ ଅଭିଯୋଗ କରୁଥିବାବେଳେ, ପୋଲିସ କିନ୍ତୁ ଏହି ଆତ୍ମହତ୍ୟା ପଛରେ ରାଗିଂ ନଥିବା କହୁଛି । ଏନେଇ ଆଜି ନିଜେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

Advertisment

ପ୍ରତୀକ ସିଂହ କହିଛନ୍ତି ଯେ, ଜଣେ ଡିସିପି ରାଙ୍କର ଅଫିସର ଏହି ମାମଲାର ତଦନ୍ତ କରୁଛନ୍ତି । ରୁଚିକାଙ୍କର କଲେଜ ହଷ୍ଟେଲରେ ରାଗିଂ ହୋଇଥିବା ନେଇ ପୋଲିସକୁ କୌଣସି ସୁରାକ୍ ମିଳିନି । ତେବେ ପୋଲିସ ଏହି ମୃତ୍ୟୁ ପଛର ଗୁମର ଖୋଲିବା ପାଇଁ ଏପର୍ଯ୍ୟନ୍ତ ମୋଟ ୧୯୮ ଜଣଙ୍କୁ ପଚରାଉଚୁରା କରିସାରିଲାଣି ବୋଲି ଡିସିପି ସୂଚନା ଦେଇଛନ୍ତି । ଅନ୍ୟପଟେ ଯଦି କୌଣସି ବ୍ୟକ୍ତି ରୁଚିକା ମୃତ୍ୟୁ ନେଇ ପୋଲିସକୁ କିଛି ତଥ୍ୟ ଦେବାକୁ ଚାହୁଁଛନ୍ତି ତେବେ ସେଥିପାଇଁ କମିଶନରେଟ୍ ପୋଲିସ ଏକ ମୋବାଇଲ୍ ନମ୍ବର ଜାରି କରିଛି । ଏହି ନମ୍ବରକୁ ଫୋନ୍ କରି କୌଣସି ବି ବ୍ୟକ୍ତି ରୁଚିକା ମୃତ୍ୟୁ ସମ୍ବନ୍ଧୀୟ ଟିକିନିଖି ତଥ୍ୟ ଦେଇପାରିବ । ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଏହି ମୋବାଇଲ୍ ନମ୍ବରଟି ହେଉଛି ୭୦୭୭୭୯୮୧୧୧ ।

ସେପଟେ ରୁଚିକାର ସମ୍ପର୍କୀୟ, ସାଙ୍ଗ ଓ ହଷ୍ଟେଲ ଷ୍ଟାଫଙ୍କୁ ପୋଲିସ ପଚରାଉଚୁରା କରିଛି । ରୁଚିକା ରୁମରୁ ଯେଉଁ ମୋବାଇଲ୍ ମିଳିଥିଲା, ତାକୁ ଏବେ ଖୋଲିବାକୁ ଚେଷ୍ଟା କରାଯାଉଛି । ଏଥିପାଇଁ ରୁଚିକାଙ୍କ ମୋବାଇଲକୁ ସିଙ୍ଗାପୁର ପଠାଯାଇଛି । ସେଠାରେ ଏହି ମୋବାଇଲରୁ ଡାଟା ରିଟ୍ରିଭ୍ କରିବାକୁ ଚେଷ୍ଟା କରାଯାଉଛି । ଯାହାକି ରୁଚିକା ମୃତ୍ୟୁ ରହସ୍ୟର ଗୁମର ଖୋଲିବ ବୋଲି ଡିସିପି ସୂଚନା ଦେଇଛନ୍ତି ।