ସତ୍ୟବତ୍ର ନାୟକ ହତ୍ୟା ମାମଲା : ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ପୋଲିସ

ମାନସ ଦାସକୁ କାଠଗଡାକୁ ଆଣିବା ପାଇଁ ଫିଟିବ ବାଟ; ସେପଟେ ଏସପିଙ୍କୁ ଭେଟି ମାନସ ବିରୁଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଆନ୍ତର୍ଜାତିକ ମାନବାଧିକାର କାଉନସିଲ୍

128

କନକ ବ୍ୟୁରୋ : ମାନବବାଦ ସଂଗଠନ ନାଁରେ ଅରାଜକତା ଚଳାଇଥିବା ମାନସ ଦାସର ବଢିପାରେ ଅଡୁଆ । ଖୋର୍ଦ୍ଧା କଡବା ଗାଁର ବାପା-ପୁଅଙ୍କୁ ମାଡର ଭିଡିଓ ଭାଇରାଲ ହେବାପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି । ତଥାପି ପୋଲିସ ପୁରା ଘଟଣାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ମାନସ ଦାସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । କିନ୍ତୁ ଏବେ ସତ୍ୟବ୍ରତ ନାୟକ ହତ୍ୟା ମାମଲାର ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣିଛି ପୋଲିସ । ଅନୁମାନ କରାଯାଉଛି ଏମାନଙ୍କୁ ପଚରା ଉଚରା ପରେ ମାନସ ଦାସର ସଂପୃକ୍ତି ପଦାକୁ ଆସିଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।

୩ ଅଭିଯୁକ୍ତ ସ୍ୱପ୍ନେଶ୍ୱର ନାୟକ, ବୈକୁଣ୍ଠ ନାୟକ, ଟୁଲୁ ବେହେରାଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିଲା । କୋର୍ଟ ଏମାନଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ପ୍ରାୟ ମାସେ ତଳେ ଖୋର୍ଦ୍ଧା ବେଗୁନିଆ ଥାନା କଡବା ଗାଁର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ମାନସ ଦାସ ନେତୃତ୍ୱରେ ପରିଚାଳିତ ମାନବବାଦୀ ସଂଗଠନର ସଦସ୍ୟମାନେ ଅତି ଅମାନୁଷିକ ଭାବେ ମାଡ ମାରିଥିଲେ । ଏହି ଭିଡିଓ ଭାଇରାଲ ହେବାପରେ ଜଣାପଡିଲା, ସଂଗଠନରେ ସାମିଲ ନହେବାରୁ ପୂର୍ବରୁ ସତ୍ୟବ୍ରତ ନାୟକ ନାମକ ଜଣେ ଯୁବକଙ୍କୁ ପିଟିପିଟି ମାରିଦେବା ପରେ ଜଙ୍ଗଲରେ ପୋଡି ଦେଇଥିଲେ ମାନବବାଦୀ ସଂଗଠନର ସଦସ୍ୟ ।

ସେପଟେ ଆନ୍ତର୍ଜାତିକ ମାନବାଧିକାର କାଉନସିଲର ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ମାନସ ଦାସ ବିରୋଧରେ ଫେରାଦ ହୋଇଛନ୍ତି । ମାନବବାଦୀ ସଂଗଠନ ନାଁରେ ମାନସ ଦାସ ଓ ତାର ସଂଗଠନ ମାନବାଧିକାରର ଉଲ୍ଲଂଘନ କରୁଥିବାବେଲେ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ମାନସ ଦାସକୁ ତୁରନ୍ତ ଗିରଫ କରି ତା ବିରୋଧରେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି ଜଣାଇଛନ୍ତି । ନିରୀହ ଲୋକଙ୍କୁ ମାଡ ମାରିବା ଓ ସଂଗଠନରେ ସାମିଲ ନହେଲେ ହତ୍ୟା କରିବା ଭଳି ଜଘନ୍ୟ କାଣ୍ଡ କରୁଥିବା ମାନଓ ଦାସକୁ କାହା ଇସାରାରେ ସୁରକ୍ଷା ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଆନ୍ତର୍ଜାତିକ ମାନବାଧିକାର କାଉନସିଲର ସଦସ୍ୟ ।