କନକ ବ୍ୟୁରୋ: ନୟାଗଡର ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ପକସୋ କୋର୍ଟ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ପୋଲିସ ଅଭିଯୁକ୍ତକୁ ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା ହେଲେ କୋର୍ଟ କେବଳ ୩ ଦିନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ, ନୟାଗଡରୁ ପ୍ରାୟ ୧୨୦ କିଲୋମିଟର ଦୂର ବାଣିଗୋଚ୍ଛା ଥାନା ଅନ୍ତର୍ଗତ ନୂଆ ଗାଁ ପଂଚାୟତର ଏକ କୁନି ଝିଅ ଗାଁ ଦାଣ୍ଡରେ ଖେଳୁଥିଲା । ହେଲେ ହଠାତ୍ ତାର ଆଉ କିଛି ପତ୍ତା ମିଳିନଥିଲା । ବାପା ମାଆ ଖୋଜାଖୋଜି କରି ନପାଇବା ପରେ ଗତ ୧୩ ତାରିଖରେ ଥାନାରେ ଏଫଆଇଆର ଦେଇଥିଲେ । ଏହାପରେ ପୁଲିସ ଏକ ଟିମ ପଠାଇ ଗାଁରେ ଖୋଜାଖୋଜି କରିଥିଲା । ଗାଁର ଦୁଇ ଜଣ ପିଲାଙ୍କ ସହାୟତାରେ ପୁଲିସ ଗାଁ ମୁଣ୍ଡର ଏକ ନିଛାଟିଆ ଜାଗାରେ ଶିଶୁ କନ୍ୟାର ମୃତଦେହ ପାଇଥିଲା ।

ଏହି ଘଟଣାରେ ପୋଲିସ ଜଣେ ଯୁବକ ଉପରେ ସନ୍ଦେହ କରିବା ସହିତ ତାକୁ ଗିରଫ କରିଥିଲା । ଗତକାଲି ଏହି ହତ୍ୟା ପଛରେ ଦୁଷ୍କର୍ମ ହିଁ ମୁଖ୍ୟ କାରଣ ବୋଲି ନୟାଗଡ ଏସପି ସୂଚନା ଦେଇଥିଲେ । ଅଭିଯୁକ୍ତ ଜଣକ ଶିଶୁଟିକୁ ପ୍ରଥମେ ଦୁଷ୍କର୍ମ କରିବା ସହିତ ପରେ ତା ବେକରେ ରଶି ଲଗାଇ ହତ୍ୟା କରିଥିଲା ବୋଲି ଗୁରୁବାର ନୟାଗଡ ଏସପି ସୂଚନା ଦେଇଥିଲେ ।