କନକ ବ୍ୟୁରୋ : ପରମ୍ପରା ଆଳର ପାର୍ବଣରେ ବଢୁଛି ଜୁଆ ଖେଳର ଆସର । ସେ ପରିତ୍ୟକ୍ତ ଘର ହେଉ ଅବା ନିଛାଟିଆ ସ୍ଥାନ ଅଥବା ଗାଁର ଚଉରା ମୁଳ କି ଘର ବାରଣ୍ଡା ସବୁଠି ଜମୁଛି ଜୁଆ ଖେଳ । କିଏ ଖେଳେ ସତରଞି ତ ପୁଣି କିଏ ପାଲି ଘୁଡି ପୁଣି କିଏ ତାସ ଖେଳ ଏବଂ କିଏ କଉଡି ଖେଳରେ ମଜିଥାନ୍ତି । ଯୁବ ସମାଜ ଏହି ଖେଳରେ ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଉଛନ୍ତି । ଖେଳରେ ହାରୁଥିବା ଯୁବକ ମାନେ ନିଶାପାନ କରି ଅସାମାଜିକ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ରହିଛି । ଯାହା ଦ୍ୱାରା ଚୋରି, ରାହାଯାନି ଭଳି ଅପରାଧିକ କାର୍ଯ୍ୟକଳାପ ବଢ଼ୁଛି । ତେଣୁ ପରମ୍ପରା ନାମରେ ଚାଲୁଥିବା ଯୁଆ ଖେଳକୁ ବନ୍ଦ କରିବା ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି । ଗଂଜାମ ପୋଲିସ ଏହି ଯୁଆ ଖେଳରେ ରୋକ୍ ଲଗାଇବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଯୋରଦାର କରିଛି । ଗଂଜାମର ବିଭିନ୍ନ ଅଂଚଳରେ ଚାଲୁଥିବା ଯୁଆ ଆଡା ଉପରେ ଅତର୍କିତ ଚଢାଉ କରି ଜୁଆଡିଙ୍କୁ ଗିରଫ କରିବା ପାଇଁ ଉଭୟ ବ୍ରହ୍ମପୁର ଓ ଛତ୍ରପୁର ଏସ୍.ପିଙ୍କ କଡା ନିର୍ଦ୍ଦେଶ ରହିଛି । ତେଣୁ ବିଭିନ୍ନ ଥାନାରେ ଜୁଆ ଖେଳ ସମ୍ପର୍କିତ କେସ ସଂଖ୍ୟା ବଢିବା ସହ ଅନେକ ଜୁଆଡିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବର୍ତମାନ ସୁଦ୍ଧା ସାରା ଜିଲ୍ଲାରେ ପାଖାପାଖି ୨୫୦ ଜଣ ଜୁଆଡିଙ୍କ ନାମରେ ମାମଲା ରୁଜୁ ହୋଇଛି ଏବଂ ପ୍ରାୟ ୫ଲକ୍ଷ ଟଙ୍କା ଜବତ ହୋଇସାରିଲାଣି । ଏହା ସହ ଅନେକ ମୋବାଇଲ ଫୋନ ଜବତ କରାଯାଇଥିବା ବ୍ରହ୍ମପୁର ଏସ୍.ପି ସୂଚନା ଦେଇଛନ୍ତି । ତେଣୁ ଏହି ଖେଳକୁ ବନ୍ଦ କରିବା ପାଇଁ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଯୁଆଡିଙ୍କୁ ସାବାଡ କରିବା ପାଇଁ ଯୁଆ ଖେଳ ଉପରେ ବ୍ୟାପକ ଚଢାଉ କରୁଛି ।