ପ୍ରଶାସନିକ କଟକଣାକୁ ମାନୁନାହାନ୍ତି ଅମାନିଆ : ବେଧଡକ ଚାଲିଛି ବିବାହ ପ୍ରୋସେସନ; ଘୋଡାରେ ବସାଇ ବରଯାତ୍ରୀ ଯାଉଥିବା ବେଳେ ବରକୁ ଉଠାଇନେଲା ପ୍ରଶାସନ

202

କନକ ବ୍ୟୁରୋ : ଦେଶବାସୀଙ୍କୁ କରୋନା କଲବଲ କରୁଛି । ରାଜ୍ୟରେ ପ୍ରତିଦିନ ୧୦-୧୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିଏ ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି ତ ଆଉ କିଏ ମହାମାରୀ ଆଗରେ ମୁଣ୍ଡ ନିଆଁ ମୃତ୍ୟୁ କୋଳରେ ଶୋଇ ଯାଉଛନ୍ତି । ଆଉ ଏହାରି ଭିତରେ ମହାମାରୀ ବିରୋଧରେ ଲଢେଇ ଜାରି ରହିଛି । କରୋନା କଟକଣା ମାନିବାକୁ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି । କାର୍ଯ୍ୟାନୁଷ୍ଠାନ ବି ନେଉଛନ୍ତି । କିନ୍ତୁ ଗଂଜାମ ଜିଲ୍ଲାର ଅମାନିଆ ଲୋକଙ୍କୁ ଏଥିରେ କିଛି ଫରକ ପଡୁନାହିଁ । ଡ଼ିଜେ ଲଗାଇ ଡ୍ୟାନ୍ସ କରିବାର ଭିଡ଼ିଓ ଭାଇରାଲ ହେଉଛି ।

ଗଂଜାମ ହିଂଜିଳିକାଟୁ ବ୍ଲକ ଅନ୍ତର୍ଗତ ଗୋଦାବରିପଲ୍ଲି ଗାଁରେ କରୋନା କଟକଣା ଭାଙ୍ଗି ବାହାଘର ପ୍ରୋସେସନ କରୁଥିବାର ଭିଡ଼ିଓ ଭାଇରାଲ ହୋଇଛି । ଭୂତାଣୁ ସଂକ୍ରମଣର ଭିଡ ଭିତରେ ବାହାଘରରେ ମାତ୍ର ୨୫ଜଣ ଉପସ୍ଥିତ ରହିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ ଏଠାରେ ଏହି ନିୟମ ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳିଛି । ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଶତାଧିକ ଲୋକ ଏକାଠି ହୋଇଥିବା ବେଳେ ଏମାନଙ୍କ ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ମଧ୍ୟ ନାହିଁ ।

ଦୁଇଟି ଘୋଡାରେ ଦୁଇ ଭାଇ ବର ବେଶରେ ବସିଛନ୍ତି । ଶୋଭାଯାତ୍ରା କରାଯାଉଛି । ହେଲେ ଏଠି ବର କି ମାର୍କୁଣ୍ଡୀ କାହାରି ମୁହଁରେ ମାସ୍କ ନାହିଁ । ଏ ଘଟଣା ବି ସେଇ ହିଂଜିଳିକାଟୁ ଅଂଚଳର । ଭୂତାଣୁ ଜୀବନ ନେଉଥିଲେ ବି ଏଠି ଭୟ ନାହିଁ । ପ୍ରଶାସନର ବାରମ୍ବାର ତାଗିଦ ପରେ ବି ଲୋକେ ବିଲକୁଲ୍ ମାନୁନାହାନ୍ତି । ତେଣୁ ଘୋଡା ଉପରୁ ବରକୁ ଉଠାଇ ନେଇଛି ହିଂଜିଳିକାଟୁ ବ୍ଲକ ପ୍ରଶାସନ ।

ଗତକାଲି ରାତିରେ ବରଯାତ୍ରୀ ଶୋଭାଯାତ୍ରା ହେଉଥିବା ନେଇ ଅଭିଯୋଗ ପାଇ ବିଡିଓ ସୁବ୍ରତ କୁମାର ଜେନା. ତହସିଲଦାର ପ୍ରଭାତ କୁମାର ପରିଡା, ଆଇଆଇସି ଅଭିମନ୍ୟୁ ଦାସ ହିଂଜିଳିକାଟୁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ପଂଚାୟତର ଗୋଦାରାପଲ୍ଲୀ ଗାଁରେ ପହଂଚିଥିଲେ । ଅମାନିଆ ହୋଇ ବିବାହ ଶୋଭାଯାତ୍ରାର ଆୟୋଜନ କରାଯାଉଥିବା ବିବାହ କରୁଥିବା ଦୁଇ ଭାଇ କେ.ବସନ୍ତ ଓ କେ. ଶୁସାନ୍ତଙ୍କ ସହ ତାଙ୍କ ବାପା କେ. ରାମମୂର୍ତିଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୁଲିସ ।